ମାଲକାନଗିରି:ଚେକିଂ ବେଳେ ତିନି ଘଣ୍ଟାରେ ତିନି ଲକ୍ଷ ୩୮ ହଜାର ଟଙ୍କା ଫାଇନ ଆଦାୟ କଲା ମାଲକାନଗିରି ପୋଲିସ । ଏଥିସହ 79ଟି ଗାଡି ଜବତ କରିବା ସହ 27ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି । ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନିତେଶ ୱାଧୱାନିଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାକୁ ଦୁର୍ଘଟଣା ମୁକ୍ତ ଓ ଟ୍ରାଫିକ୍ ନିୟମର ସୁପରିଚାଳନା ପାଇଁ କାଲି ଠାରୁ ଏହି ପ୍ରୟାସ ଆରମ୍ଭ ହୋଇଛି ।
ତେବେ ଏନେଇ ମାଲକାନଗିରି ଜିଲ୍ଲାର ୧୧ଟି ସ୍ଥାନରେ ମୋଟର୍ ସାଇକଲ ଯାଞ୍ଚ କରାଯାଇଥିଲା । ସଦର ମହକୁମା ଠାରେ ୩ଟି ଛକ ଯଥା ଡିଏନ୍ ଛକ, ହାଇସ୍କୁଲ ଛକ ଏବଂ ବାଲିମେଳା ଛକ ନିକଟରେ ମୋଟର ସାଇକେଲ ଗୁଡ଼ିକର ଯାଞ୍ଚ ଆରମ୍ଭ କରାଯାଇଥିଲା । ସଦରର ଏହି ଯାଞ୍ଚ ପ୍ରକ୍ରିୟା ନିମନ୍ତେ ହେଡ କ୍ୱାର୍ଟରର ଏସ୍ଡିପିଓ ସଚିନ ପଟେଲଙ୍କ ସମେତ 2 ଜଣ ଡିଏସ୍ପି, 3 ଜଣ ଇନ୍ସପେକ୍ଟର ଏବଂ ପୋଲିସ କର୍ମଚାରୀ ନିୟୋଜିତ ରହିଥିଲେ । ଏଥିସହ ଓରକେଲ୍ ଥାନା ଅଞ୍ଚଳରେ ଚିତ୍ରକୁଣ୍ଡା ଏସ୍ଡିପିଓ ସହ ଓରକେଲ୍ ଥାନା ଅଧିକାରୀ ଏବଂ ପୋଲିସ କର୍ମଚାରୀ ନିୟୋଜିତ ଥିଲେ ।
ସେହିଭଳି ମାଥିଲି ଥାନା ଓ କାଲିମେଳା ଥାନା ଅଞ୍ଚଳ ପାଇଁ ଜଣେ ଜଣେ ଡିଏସପିଙ୍କ ସହ ଥାନା ଅଧିକାରୀ ମାନେ ଗାଡି ଯାଞ୍ଚ କରିଥିଲେ । ଏଥିସହ ଅନ୍ୟପଟେ ଚିତ୍ରକୁଣ୍ଡା, ମୁଦୁଲିପଡା, ପଡିଆ, ଏମ୍ ଭି79, ମୋଟୁ ଥାନା ଅଞ୍ଚଳ ଗୁଡିକର ଥାନା ଅଧିକାରୀ ମାନେ ଗାଡି ଯାଞ୍ଚ କରିବା ସହ ପୋଲିସ ପକ୍ଷରୁ ବହୁ ମୋଟର ସାଇକଲ ଚାଳକଙ୍କୁ ସଚେତନ କରାଯାଇଥିଲା । ବହୁ ବାଇକ୍ ଚାଳକ ଯେଉଁମାନେ ବିନା ହେଲମେଟ୍ ଓ ଡ୍ରାଇଭିଂ ଲାଇସେନ୍ସ ସହ ଅନ୍ୟାନ୍ୟ ନିୟମ ପାଳନ କରୁନଥିଲେ, ସେମାନଙ୍କ ଉପରେ ଜରିମାନା କରାଯାଇଥିଲା ।
ଏହି ଅବସରରେ ଗାଡ଼ି ଚାଳକଙ୍କୁ ଅଟକାଇ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରାଯାଇଥିଲା । ଏପରି କି ଅମାନିଆଙ୍କୁ ସତର୍କ କରି ତ୍ରୁଟି ସୁଧାରିବାକୁ ପରାମର୍ଶ ସହ ଫାଇନ ମଧ୍ୟ କଟାଯାଇଥିଲା । ଗୋଟିଏ ଦିନରେ ମାଲକାନଗିରି ଜିଲ୍ଲାରେ ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ ବେଳେ ମୋଟ ୩୩୮୦୦୦ ଟଙ୍କା ଜୋରିମାନା ଆଦାୟ ହୋଇଥିବା ବେଳେ ୭୯ଟି ଗାଡ଼ି ଜବତ ହୋଇଛି ଓ ୨୭ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି । ୨୦୨୨ ମସିହାରେ ଜିଲ୍ଲାରେ ଦୁର୍ଘଟଣା ବଢ଼ିଥିବା ବେଳେ ଏହାକୁ ଦୃଷ୍ଟିରେ ରଖାଯାଇଛି ବୋଲି ଆରକ୍ଷୀ ଅଧୀକ୍ଷକ ୱାଧୱାନି ଟୁଇଟ୍ କରି ଜଣାଇଛନ୍ତି ।
ଇଟିଭି ଭାରତ, ମାଲକାନଗିରି