ମାଲକାନଗିରି: ବିକାଶ ଡିଣ୍ଡିମ ପିଟୁଛନ୍ତି ସରକାର । ଆଦିବାସୀ ଇଲାକା କିଭଳି ବିକଶିତ ହେବ ମୁଖ୍ୟସ୍ରୋତକୁ ଫେରିବ ଏଥିପାଇଁ ନାନା ମାଷ୍ଟର ପ୍ଲାନ ମଧ୍ୟ ହେଉଛି । ଏପରକି ସେମାନେ ପାନୀୟ ଜଳ, ରାସ୍ତାଘାଟ, ବିଜୁଳି ଭଳି ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଯୋଜନା ପରେ ଯୋଜନା ମଧ୍ୟ ହେଉଛି । ହେଲେ ଉପାନ୍ତ ଅଞ୍ଚଳରେ ଏବେ ବି ପାଣି ମୁନ୍ଦାଏ ପାଇଁ ନାନା ହଇରାଣ ହେଉଛନ୍ତି ଲୋକେ । ଜଳକଷ୍ଟକୁ ନେଇ ମାଲକାନଗିରି ଜିଲ୍ଲା ଚିନ୍ତଲୱାଡା ପଞ୍ଚାୟତରୁ ଆମର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।
ବର୍ଷା ଋତୁ ଯାଇ ଶୀତ ଋତୁ ଆସିଛି । ପ୍ରକୃତି କୋଳରେ ଅନେକ ଋତୁର ପରିବର୍ତ୍ତନ ମଧ୍ୟ ହୋଇଛି । ହେଲେ ବଦଳି ନାହିଁ ଆଦିବାସୀ ଇଲାକାର ଜଳକଷ୍ଟ । ଆମେ କହୁଛୁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଚିନ୍ତଲୱାଡା ପଞ୍ଚାୟତର ପରଜାଗୁଡା ଗାଁ କଥା । କାହିଁ କେଉଁ କାଳରୁ ଏଠାକାର ଲୋକେ ପାନୀୟ ଜଳ ପାଇଁ ଚୁଆ ଉପରେ ନିର୍ଭର କରୁଛନ୍ତି । ସକାଳ ହେବା କ୍ଷଣି ଗରା ମାଠିଆ ଧରି ଗାଁର ପିଲା ଠୁ ବୁଢା ସଭିଁଏ ବାହାରି ପଡନ୍ତି ପାଣି ସଂଗ୍ରହ ପାଇଁ । ଜଳ ପାଇଁ ଏଠି ନିତି ଚାଲେ ସଂଘର୍ଷ ।