ଓଡିଶା

odisha

ETV Bharat / state

ନକ୍ସଲ ଗୁଳିରେ ଯବାନ ଜୟରାମ ଶହୀଦ, ଅଶ୍ରୁଳ ବିଦାୟ ଦେଲା ମାଲକାନଗିରି - ଜୟରାମ କବାସି

ଆଜି ସକାଳେ ବଣ୍ଡାଘାଟିରେ ପୋଲିସ୍‌- ନକ୍ସଲ ଗୁଳିବିନିମୟରେ ଶହୀଦ ହୋଇଛନ୍ତି ଜୟରାମ କବାସି । ପୈତୃକ ଗାଁ ଶରିଷମାଳରେ ଶେଷ ସମ୍ମାନ ଜଣାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

ଡିଜାଇନ ଫଟୋ

By

Published : Aug 28, 2019, 11:26 PM IST

ମାଲକାନଗିରି : ଲାଲଗଡ ମାଲକାନଗିରିରେ ଲୁହର ବନ୍ୟା... । ସ୍ବାମୀଙ୍କ ପାଇଁ କାନ୍ଦୁଛି ସାତ ଜନମର ସାଥୀ । ଭେଣ୍ଡିଆ ପୁଅକୁ ହରାଇ ଲୁହ ଗଡାଉଛି ବାପା । ଗଛ, ଲତା ସବୁ ନିସ୍ତବ୍ଧ । ଭାରତ ମାତା କି ଜୟ, ଶହୀଦ ଜୟରାମ ଅମର ରହେ.. ଧ୍ବନୀରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରୁ ଶରିଷମାଳ ଗାଁ.. ସବୁ କମ୍ପୁଛି । ଆଖିର ଅଶ୍ରୁଧାରରେ ଅଶ୍ରୁଳ ବିଦାୟ ଜଣାଉଛନ୍ତି ଜିଲ୍ଲାବାସୀ । ଏଭଳି ଭାବପୂର୍ଣ୍ଣ ବିଦାୟ ନେଉଛନ୍ତି ନକ୍ସଲ ଗୁଳିରେ ଶହୀଦ ହୋଇଥିବା ଜୟରାମ କବାସି । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ତୋପ ସଲାମି ଦେବା ପରେ ଶହୀଦଙ୍କୁ କାନ୍ଧ ଦେଇଥିଲେ ନିଜେ ମାଲକାନଗିରି ଏସପି । ଏହାପରେ 10 କିଲୋମିଟର ରାସ୍ତା ଚାଲି ଚାଲି ଶହୀଦ ଯବାନଙ୍କୁ ତାଙ୍କ ଗାଁକୁ ନେଇଥିଲେ ପୋଲିସ କର୍ମଚାରୀ । ଆଉ ସେଠାରେ ଶେଷ ସମ୍ମାନ ଜଣାଇ ଶହୀଦଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି


ଆଜି ସକାଳେ ବଣ୍ଡାଘାଟିରେ ପୋଲିସ୍‌- ନକ୍ସଲ ଗୁଳିବିନିମୟରେ ଶହୀଦ ହୋଇଥିଲେ ଜୟରାମ କବାସି । ଦୀର୍ଘ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ଗୁଳିବିନିମୟରେ ଜଣେ ମାଓବାଦୀ ନିହତ ହୋଇଥିଲା । ଏହା ସହ ଜଣେ ଯବାନ ଆହତ ହୋଇଥିଲେ । ତେବେ ସେଠାରୁ ଅନେକ ମାଓସାମଗ୍ରୀ ଜବତ ହୋଇଛି । ତେବେ ଛତିଶଗଡରୁ ପ୍ରାୟ ୩୦ ଜଣ ନକ୍ସଲ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଭିତରେ ପ୍ରବେଶ କରିଥିବା ଡି.ଆଇ.ଜି କହିଛନ୍ତି । ଉଭୟ ଆହତ ଓ ସହିଦ ଯବାନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ସହାୟତା କରାଯିବ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡି.ଆଇ.ଜି କହିଛନ୍ତି । ସେପଟେ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।


ଦେଶମାତୃକାର ସେବା କରି ଶେଷରେ ଶହୀଦ ହୋଇଛନ୍ତି ସେ । ନକ୍ସଲଙ୍କୁ ମୁକାବିଲା କରି ହସି ହସି ନିଜର ଜୀବନକୁ ବଳିଦାନ ଦେଇଛନ୍ତି ଶରିଷମାଳ ଗ୍ରାମର ବୀର ପୁଅ ଜୟରାମ। ଗରିଲା ଯୁଦ୍ଧରେ ସିନା ଶହୀଦ ହୋଇଗଲେ ସେ, ହେଲେ ନିଜ ଗାଁ, ନିଜ ଅଞ୍ଚଳ ଲାଗି ସବୁ ଦିନ ପାଇଁ ଅମର ହୋଇ ରହିଗଲେ ଜୟରାମ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details