ମାଲକାନଗିରି: ସମଗ୍ର ଜିଲ୍ଲାରେ ଏବେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ସକାଳ ୧୦ ହେଲେ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି । ମାଲକାନଗିରିରେ ତାପମାତ୍ରା ୪୨ ଡେଇଁଥିବା ବେଳେ ପାଣି ସମସ୍ୟା ମଧ୍ୟ ଉତ୍କଟ ହେବାକୁ ଲାଗିଲାଣି । ଗାଁ ଗାଁରେ ଏବେ ନଇନାଳ, କୂଅ, ନଳକୂପ ଶୁଖିବାକୁ ଲାଗିଲାଣି । ନଳକୂପରୁ ମଧ୍ୟ ଏବେ ଆଉପାଣି ବାହାରୁ ନାହିଁ । ତେଣୁ ଲୋକେ ମାଇଲ ମାଇଲ ବାଟ ଚାଲି ଚୁଆରୁ ପାଣି ସଂଗ୍ରହ କରୁଥିବା ଦୃଶ୍ୟ ଅନେକ ଗ୍ରାମଗୁଡିକରେ ଦେଖିବାକୁ ମିଳୁଛି । ଜିଲ୍ଲାରେ ପାଣିର ଉତ୍କଟ ସମସ୍ୟାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ୨୦୧୯ ମସିହାରେ ଜିଲ୍ଲାରେ ୧୦ଟି ମେଗା ପାଇପ ୱାଟର ସପ୍ଲାଇ ପ୍ରୋଜେକ୍ଟକୁ ମଞ୍ଜୁର କରିଥିଲେ । ଏହି ୧୦ଟି ମେଗା ପାଇପ ଜଳ ପ୍ରକଳ୍ପ ମଧ୍ୟରୁ ଗୋଟିଏ ପ୍ରକଳ୍ପର ସ୍ଥିତି ଇଟିଭି ଭାରତ ପରଖି ଥିଲା । ଯାହାକୁ ମାଲକାନଗିରି ବ୍ଲକର ୫ଟି ପଞ୍ଚାୟତ ଏବଂ କାଲିମେଳା ବ୍ଲକର ୫ଟି ପଞ୍ଚାୟତରେ ପ୍ରାୟ ୧୧୯ କୋଟି ଟଙ୍କା ବ୍ୟୟରେ ପୋଟେରୁ ନଦୀ କୂଳରେ ଥିବା ଏମଭି-୩୯ ଗ୍ରାମରେ ନିର୍ମାଣ ହେବ । ଯାହାଫଳରେ ଏହି ୧୦ଟି ପଞ୍ଚାୟତର ୫୧ଟି ଗ୍ରାମର ପ୍ରାୟ ୧ ଲକ୍ଷ ଲୋକ ଉପକୃତ ହେବେ।
Ground Report: ଜଳକଷ୍ଟରେ ଛଟପଟ ମାଲକାନଗିରି ଏହି ପ୍ରକଳ୍ପ ମାଲକାନଗିରି ବ୍ଲକରେ ମାଟାପାକା, ଗୋରାଖଣ୍ଟା, ଶିଖପାଲୀ, ବଦଲି ଏବଂ ତମସା ହୋଇଥିବା ବେଳେ କାଲିମେଳା ବ୍ଲକର ବଡିଗେଟା ଗୋମ୍ଫାକୋଣ୍ଡା, କାଲିମେଳା, କୋଇମେଟଲା ଏବଂ ଭେଙ୍କେଟାପାଲମ ପଞ୍ଚାୟତ ରହିଛି । ଏହି ପ୍ରକଳ୍ପ ନେଇ ମହାରାଷ୍ଟ୍ରର ଜେଏଣସି/ଜେଡବ୍ଲୁଆଇଏଲ କମ୍ପାନୀକୁ ଗତ ୨୦୨୦ ମସିହା ସେପ୍ଟେମ୍ବର ୧୧ ତାରିଖରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ପ୍ରକଳ୍ପର ଶେଷ ଅବଧି ୨୦୨୨ ମସିହା ସେପ୍ଟେମ୍ବର ୯ ତାରିଖ ଧାର୍ଯ୍ୟ ହୋଇଛି । ନିଜେ RWSS ବିଭାଗର ନିର୍ବାହି ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।
ମାଲକାନଗିରି ଏବଂ କାଲିମେଳା ବ୍ଲକର ୧୦ଟି ପଞ୍ଚାୟତର ୫୧ଟି ଗ୍ରାମରୁ କିଛି ଗ୍ରାମକୁ ଯାଇ ପାଣି ସମସ୍ୟା ବୁଝିବାରୁ ସେଠାରେ ଉତ୍କଟ ଜଳ ସମସ୍ୟା ରହିଥିବା ଦେଖିବାକୁ ମିଳିଛି । ସେଥିମଧ୍ୟରୁ ମାଲକାନଗିରି ବ୍ଲକର ଚାଲଣଗୁଡା ପଞ୍ଚାୟତର ଡଡିଗୁଡା ଗ୍ରାମ ଅନ୍ୟତମ । ଏହି ଗ୍ରାମରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଘର ରହିଛି । ପାଣି ସମସ୍ୟା ଥିବାରୁ ଲୋକେ ମାଇଲ ବାଟ ଚାଲି ଚୁଆରୁ ପାଣି ସଂଗ୍ରହ କରୁଥିବା ପ୍ରକାଶ କରିଛନ୍ତି । କେବଳ ଏହି ଗ୍ରାମ ନୁହେଁ, ବରଂ ଏଭଳି ୫୧ଟି ଗ୍ରାମର ସମାନ ସମସ୍ୟା ରହିଛି । ପାଣି ସମସ୍ୟା ରହିଥିବାରୁ ଏଠାରେ ମେଗା ୱାଟର ସପ୍ଲାଇ କରାଯିବା ନେଇ ସର୍ଭେ କରାଯିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କାମ ହୋଇପାରିନଥିବା ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି । ବାରମ୍ବାର ପ୍ରଶାସନ ଏବଂ ସରକାରଙ୍କ ନିକଟରେ ଗୁହାରି କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ।
ପାଣି ପାଇଁ ପ୍ରାୟ ୧ ଲକ୍ଷ ଲୋକ ପାଣି ଏବେ ଚିନ୍ତାରେ ପଡିଛନ୍ତି । କେବେ ଏହି ପ୍ରକଳ୍ପ କାମ ସରବ ଏବଂ ଲୋକେ ପାଣି ପାଇବେ ତାହାକୁ ନେଇ ପ୍ରଶ୍ନ ଉଠିଛି । ଯେଉଁ ସ୍ଥାନରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ସେଠାରେ ଏବେ ପାଣି ଟାଙ୍କି ପାଇଁ କାମ ଆରମ୍ଭ ହୋଇଛି । ଗାଁ ଗାଁକୁ ପାଇପ ବିଛା ଯାଇନାହିଁ । ପୋଟେରୁ ନଦୀରୁ ପାଣି ସଂଗ୍ରହ କରି ଏହାକୁ ରିଫାଇନ କରି ଗାଁ ଗାଁକୁ ବିଶୁଦ୍ଧପାଣି ଯୋଗାଯିବା କାମ ଆରମ୍ଭ ହୋଇନାହିଁ । ଇତିମଧ୍ୟରେ ଅବଧି ସରିବାକୁ ଯାଉଛି । ଆଉ ମାତ୍ର ହାତରେ ୪ ମାସ ସମୟ । କମ୍ପାନୀ କାର୍ଯ୍ୟାଦେଶ ପାଇବାର ଦୁଇ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । କିନ୍ତୁ ୩୦ ପ୍ରତିଶତ କାମ ମଧ୍ୟ ସରିନାହିଁ ।
ଏନେଇ ଗତ କିଛି ଦିନ ତଳେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆସି ସମୀକ୍ଷା କରିଥିବା ଜଣାପଡିଛି । ଆସନ୍ତା ଚାରି ମାସରେ ଏତେ କାମ କିପରି ସରିବ ଏବଂ କେତେ ସଠିକ କାମ ହେବ ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି । ସେହିପରି ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ମଧ୍ୟ ଏହି କାମ ସଂପର୍କରେ ଅବଗତ ନାହାଁନ୍ତି । ଅନ୍ୟପଟେ ଜିଲ୍ଲା ଜଳ ଓ ପରିମଳ ବିଭାଗ ଅଧିକାରୀମାନେ ଏହି ପ୍ରକଳ୍ପକୁ ନେଇ ମୁହଁ ଖୋଲୁନାହାଁନ୍ତି ।
ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ