ମାଲକାନଗିରି: ପୁଣି ଚର୍ଚ୍ଚାରେ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା । ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ମନିଷ ଅଗ୍ରଓ୍ବାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ନୂଆ ମୋଡ ଆସିଛି । ଏହି ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ । ମୃତ ପିଏଙ୍କ ପତ୍ନୀ ବନଜା ପଣ୍ଡା ଏସଡିଜେଏମ କୋର୍ଟରେ ଓ୍ବାନ ସିସି ଦାୟର କରିଛନ୍ତି । ଏସପି ଋଷିକେଶ ଖିଲାରୀଙ୍କ ସମେତ ଆଇଆଇସି ରାମ ପ୍ରସାଦ ନାଗ, ଡିଆଇବିର ପୂର୍ବତନ ଇନସପେକ୍ଟର ସୌମ୍ୟ ଶେଖର ତ୍ରିପାଠୀ, କନେଷ୍ଟବଳ ପାଢୀ, କୁମାର ମୁନ୍ନା ଏବଂ ରମାକାନ୍ତ ପ୍ରଧାନଙ୍କ ନାମରେ ଏତଲା ଦାୟର ହୋଇଛି ।
ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ପରଠାରୁ ତାଙ୍କ ପରିବାରକୁ ପୋଲିସ ଉପେକ୍ଷା କରିଛନ୍ତି । ଏହାସହ ତାଙ୍କୁ ପୋଲିସ ଡରାଇ ଧମକାଇ କେସ୍ ପ୍ରତ୍ୟାହାର ପାଇଁ ବାଧ୍ୟ କରୁଥିବା ଭଳି 13ଟି ଅଭିଯୋଗ ଏସିଡିଜେଏମ କୋର୍ଟରେ ଦାୟର ହୋଇଛି । କେଶ ନମ୍ବର ୫/୨୦୨୧ ଅନୁଯାୟୀ ସମ୍ପୃକ୍ତ ୫ ଜଣଙ୍କ ନାମରେ ୫୦୬, ୨୦୪, ୨୦୩, ୨୦୨, ୨୦୧, ୧୯୬, ୧୯୩, ୧୯୨, ୧୧୯, ୧୧୫, ୧୦୭, ୧୨୦(ବି) ଏବଂ ୩୪ ଆଇପିସି ଧାରା ଲଗାଯାଇଥିବା ଜଣାପଡିଛି । ମାମଲାରେ ସାକ୍ଷୀ ଭାବେ ନିବେଦିତା ପଣ୍ଡା ଏବଂ ବିବେକ ପଣ୍ଡା ରହିଛନ୍ତି ।