ଓଡିଶା

odisha

ETV Bharat / state

ସୁଧୁରୁଛି ବନ୍ୟା ସ୍ଥିତି, ବଢୁଛି ବିପନ୍ନଙ୍କ ଦୁର୍ଦ୍ଦଶା - ମାଲକାନଗିରି ଜିଲ୍ଲାପାଳ

ମାଲକାନଗିରି ଜିଲ୍ଲାରେ ଧିରେ ଧିରେ ସୁଧୁରିବାରେ ଲାଗିଛି ବନ୍ୟାସ୍ଥିତି, ହେଲେ ଏବେବି ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି । ରିପୋର୍ଟ ଆସିବା ପରେ ବିପନ୍ନଙ୍କୁ ସହାୟତା ଯୋଗାଇବା ଲାଗି ସରକାରଙ୍କୁ ଜଣାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Aug 10, 2019, 7:04 PM IST

ମାଲକାନଗିରି: ଜିଲ୍ଲାରେ ସୁଧୁରିବାରେ ଲାଗିଛି ବନ୍ୟା ସ୍ଥିତି, ହେଲେ ବଢିଚାଲିଛି ବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶା । ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କେଉଁଠି ଲୋକଙ୍କ ଘର ଦ୍ବାର ଭାଙ୍ଗିଛି ତ ଆଉ କେଉଁଠି ଚାଷ ଜମି ଜଳମଗ୍ନ ହୋଇଛି ।

ଜିଲ୍ଲାର ମାଥିଲି, କୋରୁକୋଣ୍ଡା ଓ କାଲିମେଳା ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ପୋଲାଭରମ ପ୍ରକଳ୍ପ ଯୋଗୁଁ ମୋଟୁ ଅଞ୍ଚଳର ଅନେକ ଗାଁ ବର୍ତ୍ତମାନ ସୁଦ୍ଧା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ତେବେ ବନ୍ୟା ପରେ ଲୋକଙ୍କ ପାଖରେ ଠିକ ଭାବେ ରିଲିଫ ସାମଗ୍ରୀ ପହଞ୍ଚିନଥିବା ଅଭିଯୋଗ ହୋଇଛି । ବନ୍ୟାରେ କାଲିମେଳା, ମାଥିଲି, କୋରୁକୋଣ୍ଡା ଓ ଖଇରପୁଟ ବ୍ଲକର ଅନେକ ଲୋକଙ୍କ ଘର ଦ୍ବାର ଭାଙ୍ଗି ଯାଇଥିବା ବେଳେ ଧାନ ଫସଲ ଜଳମଗ୍ନ ରହିଛି । ହେଲେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ସମସ୍ତଙ୍କ ପାଖରେ ପହଞ୍ଚିନଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
ବନ୍ୟା ଯୋଗୁଁ ମାଲକାନଗିରି ଜିଲ୍ଲାର ସମସ୍ତ ୭ ଟି ବ୍ଲକ ପ୍ରଭାବିତ ହୋଇଥିବା ଜିଲ୍ଲାପାଳ କହିଛନ୍ତି । ବନ୍ୟା ବିପନ୍ନଙ୍କ ଲାଗି ଜିଲ୍ଲାରେ ୪୭ଟି ରିଲିଫ ସେଣ୍ଟର ଖୋଲା ରହିଥିବା ବେଳେ ସେଠାରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ବନ୍ୟାରେ ୨୫୦ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ଧାନ ଫସଲ ନଷ୍ଟ ହୋଇଛି । ୩୪ ଜଣଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ୨୫୦ ଜଣଙ୍କ ଘର ଆଂଶିକ ଭାବେ ଭାଙ୍ଗିଥିବା ବର୍ତ୍ତମାନ ସୁଦ୍ଧା ଜଣାପଡିଛି । ପୋଲ ଓ ରାସ୍ତାର କ୍ଷୟକ୍ଷତି ସମ୍ପର୍କରେ ଆକଳନ କରିବା ଲାଗି ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ବିଡିଓ ଓ ତହସିଲଦାର ମାନଙ୍କୁ ତୁରନ୍ତ ରିପୋର୍ଟ ଦେବା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଆସିବା ପରେ ବିପନ୍ନଙ୍କ ସହାୟତା ଯୋଗାଇବା ପାଇଁ ସରକାରଙ୍କୁ ଜଣାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details