ମାଲକାନଗିରି: ଗତ ତିନିଦିନଧରି ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ବେହାଲ ହୋଇପଡିଛି । ମାଡି ଆସିଛି ବନ୍ୟା । ବନ୍ୟାରେ କାହାର ଘର ମାଟିରେ ମିଶି ଯାଇଛି ତ କାହାର ଚାଷ ଜମି ବାଲିଚର ହୋଇଯାଇଛି । ମାଲକାନଗିରି ଜିଲ୍ଲାର ମାଥିଲି, କୋରୁକୋଣ୍ଡା, ପଡିଆ ଓ କାଲିମେଳା ବ୍ଲକର ପ୍ରାୟ ୪୦ ଟି ଗାଁ ବନ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
ଜିଲ୍ଲାରେ ବର୍ଷା କମିଛି ସତ ହେଲେ ବନ୍ୟା ବିପନ୍ନଙ୍କ ବଢିଛି ଦୁଃଖ ଆଉ ଦୁର୍ଦ୍ଦଶା । ହଠାତ ବନ୍ୟା ପାଣି ଘରେ ପଶିଥିବା ବେଳେ ଲୋକେ ଜୀବନ ବଞ୍ଚାଇବା ଲାଗି ଘର ଦ୍ବାର ଛାଡି ଆଶ୍ରୟସ୍ଥଳକୁ ଚାଲି ଯାଇଥିଲେ । ଆଉ ପାଣି କମିବା ପରେ ଲୋକେ ଘରକୁ ଫେରି ଯାହା ଦେଖିଲେ ଲୋକଙ୍କର ପାଦତଳୁ ମାଟି ଖସିଗଲା ।
ମୁଣ୍ଡ ଗୁଞ୍ଜିବାକୁ ଆଉ ଛାତ ନଥିଲା କି ଭାତ ଗଣ୍ଡିଏ ଫୁଟେଇବାକୁ ବାସ ନଥିଲା ଆଖି ଆଗିରେ ଧୋଇନେଲା ସାରା ବର୍ଷ ପାଇଁ କରିଥିବା ଚାଷ । ଶତାଧିକ ଲୋକଙ୍କ ଝାଟି ମାଟି ଘର ବନ୍ୟା ପାଣିରେ ଭାଙ୍ଗି ଯାଇଛି । ଶହଶହ ହେକ୍ଟର ଧାନ ଫସଲ ବାଲିଚର ହୋଇ ଯାଇଛି । ପ୍ରଶାସନ କେବଳ କେଉଁଠି କିଛି ରନ୍ଧା ଖାଦ୍ୟ ଦେଇ ନିଜ ଦାୟିତ୍ବ ସାରିଦେଇଛି ।
ପ୍ରଥମେ ବର୍ଷା ଅଭାବରୁ ଜମି ଫାଟି ଆଁ କରିଥିବା ବେଳେ ଏବେ ବନ୍ୟାରେ ଧାନ ଜମି ବାଲିଚର ହୋଇ ଯାଇଛି ଫଳରେ ବ୍ୟାଙ୍କ ଓ ମହାଜନଙ୍କ ଠାରୁ ଋଣ ନେଇ ଚାଷ କାମ ଆରମ୍ଭ କରିଥିବା ଚାଷୀଙ୍କ ଉପରେ ଏବେ ପଡିଛି ଚଡକ । ଅନ୍ୟପଟେ ଜିଲ୍ଲା ପ୍ରଶାସନ କହିଛି ବନ୍ୟାର କ୍ଷୟକ୍ଷତି ସଂପର୍କରେ ଆକଳନ କରିବା ଲାଗି ବିଡିଓ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ରିପୋର୍ଟ ଆସିବା ପରେ ଲୋକଙ୍କୁ ଆବଶ୍ୟକ କ୍ଷତିପୂରଣ ଦିଆଯିବ ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ