ମାଲାକାନଗିରି: କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ମାଳ ମାଳ ଯୋଜନା କରୁଛନ୍ତି। କ୍ରୀଡା କ୍ଷେତ୍ରରେ ଓଡିଶାକୁ ବିଶ୍ବ ଦରବାରରେ ପରିଚିତ କରାଇବା ପାଇଁ ପ୍ରୟାସ କରାଯାଉଛି । କ୍ରୀଡା ଭିତ୍ତିଭୂମି ରୂପାନ୍ତକରଣ କରାଯାଉଥିବା ବେଳେ ଖେଳାଳିମାନଙ୍କୁ ସଶକ୍ତିକରଣ ପାଇଁ ଚେଷ୍ଟା କରାଯାଉଛି। ଖେଳାଳିମାନଙ୍କ ରହିବା ପାଇଁ ବଡ ବଡ କୋଠା ନିର୍ମାଣ କରାଯାଇଛି ସତ ହେଲେ ସେଥିରେ ତାଲା ଝୁଲୁଛି । ହଷ୍ଟେଲକୁ ବନ୍ଦ କରି ତାହା ଜୁଡୋ ଏକାଡେମୀ ହେବ ବୋଲି ଚର୍ଚ୍ଚା ହେଉଛି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସହରରେ ଥିବା ସ୍ପୋର୍ଟସ୍ ହଷ୍ଟେଲରେ ।
କ୍ରୀଡା କ୍ଷେତ୍ରରେ ଅଗ୍ରଗତି ପାଇଁ ମାଲକାନଗିର ସହରର ଥିବା ଖେଳପଡିଆ ପାର୍ଶ୍ବରେ ସ୍ପୋଟର୍ସ ହଷ୍ଟେଲ କରାଯାଇଥିଲା। ୫୦ ଶଯ୍ୟା ବିଶିଷ୍ଟ ଏହି ହଷ୍ଟେଲ ୨୦୧୭ ମସିହାରୁ କାର୍ଯ୍ୟକ୍ଷମ ହୋଇଥିଲା। ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାର ଆଥଲେଟିକ, ତୀରନ୍ଦାଜ, ଭଲିବଲ ଓ ଭାରୋତ୍ତଳନ ବର୍ଗର ଖେଳାଳିମାନେ ରହୁଥିଲେ। ଆଥଲେଟିକମାନଙ୍କ ପାଇଁ ଜଣେ କୋଚ ରହିଥିବା ବେଳେ ତୀରନ୍ଦାଜ ଶିକ୍ଷା ଦେବା ପାଇଁ ଜଣେ ବିଦ୍ୟାଳୟର ଶିକ୍ଷକକୁ ଡେପୁଟେସନରେ ଆଣି କୋଚ ଦାୟିତ୍ବ ଦିଆଯାଇଥିଲା। ହେଲେ ଭଲିବଲ ଓ ଭାରୋତ୍ତଳନ ଶିକ୍ଷା ଦେବା ପାଇଁ କୌଣସି କୋଚ ନଥିଲେ।
ତେବେ ଏହିଭଳି ଭାବରେ କିଛି ବର୍ଷ ଚାଲିଥିବା ବେଳେ ଗତବଷ ସେପ୍ଟେମ୍ବର ମାସ ଠାରୁ ହଷ୍ଟେଲ ବନ୍ଦ ହୋଇପଡିଛି। ଗତବର୍ଷ ଖେଳ ବିଭାଗ ଏହି ହଷ୍ଟେଲକୁ ଜୁଡୋ ଏକାଡେମୀ କରାଯିବା ନେଇ ଘୋଷଣା କରିବା ପରେ ହଷ୍ଟେଲକୁ ଖାଲି କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ଏହା ଜୁଡୋ ଏକାଡେମୀ ହୋଇପାରିନାହିଁ । କେବଳ ସୁରକ୍ଷାକର୍ମୀମାନେ ହଷ୍ଟେଲକୁ ଜଗି ରହିଛନ୍ତି।
ଏହାମଧ୍ୟ ପଢନ୍ତୁ..କ୍ରୀଡ଼ା କ୍ଷେତ୍ର ପାଇଁ ବୌଦ୍ଧରେ ବିରାଟ ସମ୍ଭାବନା, ପ୍ରୋତ୍ସାହନ ଆଶାରେ କ୍ରୀଡ଼ାବିତ୍