ମାଲକାନଗିରି: କୋଲାକୁଣ୍ଡା ସେବାଶ୍ରମରେ ଦୁଇ ଛାତ୍ର ମୃତ୍ୟୁ ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ । ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହି ଦୁଇ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଏନେଇ ତଦନ୍ତ ପରେ ଜିଲ୍ଲାପାଳ ବିଶାଲ ସିଂ ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ସାବିତ୍ରୀ ମଣ୍ଡଳଙ୍କୁ ନିଲମ୍ବିତ କରିଛନ୍ତି । ସେପଟେ କୋରୁକୋଣ୍ଡା ବ୍ଳକର ମାରିବାଡା ସେବାଶ୍ରମ ହଷ୍ଟେଲର ଚାଉଳ ବାହାରେ ବିକ୍ରି ଅଭିଯୋଗରେ ବିଦ୍ୟାଳୟର ସୁପରିଟେଣ୍ଡେଣ୍ଟ ରଞ୍ଜିତା ବେହେରାଙ୍କୁ ନିଲମ୍ବିତ କରାଯାଇଛି । ଏଥିସହ ସ୍କୁଲ ପିଲାଙ୍କୁ କାମରେ ନିୟୋଜିତ କରୁଥିବା ସହକାରୀ ଶିକ୍ଷକ ଶ୍ରୀକୁମାର ଦୋରାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।
ସୂଚନା ଅନୁଯାୟୀ ଗତ ମାସରେ ମାଲକାନଗିରି ଜିଲ୍ଲା କୋଲାକୁଣ୍ଡା ସେବା ଆଶ୍ରମରେ ଛାତ୍ରଛାତ୍ରୀ ଅଜଣା ଜ୍ବରରେ ପୀଡ଼ିତ ହୋଇଥିଲେ । ଧୀରେ ଧୀରେ ଅନ୍ୟ ଛାତ୍ରଛାତ୍ରୀ ମଧ୍ୟ ଜ୍ବରରେ ପୀଡ଼ିତ ହୋଇଥିଲେ । ତେବେ ଅଜଣା ରୋଗରେ ଦୁଇ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଏହି ଆଶ୍ରମରେ ଏକ ଡାକ୍ତରୀ ଟିମ୍ ପହଞ୍ଚି ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିଥିଲା । ସେମାନଙ୍କ ମଧ୍ୟରୁ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ଅସୁସ୍ଥ ଅବସ୍ଥାରେ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଯାଇଥିଲା । ଅସୁସ୍ଥଙ୍କ ମଧ୍ୟରୁ ୧୧ ଜଣ ଗୁରୁତର ଥିବାରୁ ସେମାନଙ୍କୁ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେହିଭଳି ଅନ୍ୟ ୯ ଜଣଙ୍କୁ ସ୍ଥାନୀୟ ପଡ଼ିଆ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଆଶ୍ରମରେ ଡାକ୍ତରୀ ଟିମ୍ ପହଞ୍ଚି ଆଶ୍ରମର ଖାଦ୍ୟ, ପାଣି ନମୂନା ସଂଗ୍ରହ କରିବା ସହିତ ଆଶ୍ରମର ଅନ୍ତେବାସୀଙ୍କ ରକ୍ତ ନମୁନା ପରୀକ୍ଷା କରଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...କୋଲାକୁଣ୍ଡା ଆଶ୍ରମରେ ଛାତ୍ରମୃତ୍ୟୁ: ୨୦ ପିଲା ମେଡିକାଲରେ ଭର୍ତ୍ତି, ପହଞ୍ଚିଲା ଡାକ୍ତରୀ ଟିମ୍
ତେବେ ଆଶ୍ରମ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହି ଦୁଇ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ । ତଦନ୍ତ ପରେ ଏହି ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ସାବିତ୍ରୀ ମଣ୍ଡଳଙ୍କୁ ନିଲମ୍ବିତ କରାଯାଇଛି । ଏହା ସହିତ ତାଙ୍କୁ ଚିତ୍ରକୋଣ୍ଡା ସ୍କୁଲରେ ପ୍ରତିଦିନ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଏହି ସ୍କୁଲର ମେଟ୍ରନଙ୍କୁ କାହିଁକି ବହିଷ୍କୃତ କରାଯାଇ ନାହିଁ ବୋଲି ନୋଟିସ ଦିଆଯାଇଛି । ବିଦ୍ୟାଳୟର ରୋଷେୟା ତଥା ଆଟେଣ୍ଡାଣ୍ଟ ଯୋଗୀ ମାଡକାମୀଙ୍କୁ ମଧ୍ୟ ବହିଷ୍କୃତ କରାଯାଇଛି । ସେହିପରି ଡବ୍ଲୁଇଓ ଭରତ ଗୁରୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ ।