ମାଲକାନଗିରି: ନିର୍ବାଚିତ ଜନ ପ୍ରତିନିଧିଙ୍କୁ ସରକାରୀ ଅଧିକାରୀ କୈଫତ ତଲବ କରିବା ଘଟଣା ଆଜି ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ପଞ୍ଚାୟତର ବିଭିନ୍ନ ଯୋଜନାର ହୋଇଥିବା ଉନ୍ନୟନ କାର୍ଯ୍ୟରେ ସହଯୋଗ ନକରିବା, ଯନ୍ତ୍ରୀମାନଙ୍କୁ ଅପମାନିତ କରିବା ସହ ମିଥ୍ୟା ବିଲ୍ କରିବା ପାଇଁ ଚାପ ପକାଇବା ଘଟଣାକୁ ନେଇ ମାଲକାନଗିରି ବିଡିଓ ଅଜୟ କୁମାର ପ୍ରଧାନ ଏହି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।
ମାଲକାନଗିରି ବିଡିଓ ଅଜୟ କୁମାର ପ୍ରଧାନ ମାଲକାନଗିରି ବ୍ଲକ ଅନ୍ତର୍ଗତ ମାର୍କାପାଲ୍ଲୀ ପଞ୍ଚାୟତର ସରପଞ୍ଚ ସୁନନ୍ଦା ଗଡେଲି, ବୀରଲକ୍ଷ୍ମଣପୁର ପଞ୍ଚାୟତର ସରପଞ୍ଚ ନିଳକଣ୍ଠ ଝୋଲା, ସିନ୍ଧିମାଳ ପଞ୍ଚାୟତର ସରପଞ୍ଚ ଘାସି ନାୟକ ଓ ଗଙ୍ଗଲା ପଞ୍ଚାୟତର ସରପଞ୍ଚ ସୁଦର୍ଶନ କପେଙ୍କୁ ପଞ୍ଚାୟତର ବିଭିନ୍ନ ଯୋଜନାର ହୋଇଥିବା ଉନ୍ନୟନ କାର୍ଯ୍ୟରେ ସହଯୋଗ ନକରିବା, ଯନ୍ତ୍ରୀମାନଙ୍କୁ ଅପମାନିତ କରିବା ସହ ମିଥ୍ୟା ବିଲ୍ କରିବା ପାଇଁ ଚାପ ପକାଇବା ଘଟଣାକୁ ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ବିଡିଓଙ୍କ ନୋଟିସରେ ୨୦୨୨-୨୩ ଆର୍ଥିକବର୍ଷରେ ସମ୍ପୃକ୍ତ ପଞ୍ଚାୟତ ଗୁଡିକରେ MGNREGA ଯୋଜନାରେ ଦିଆଯାଇଥିବା ଧାର୍ଯ୍ୟ ସମୟ ଦିବସରେ ଆଖି ଦୃଶିଆ ସଫଳତା ପରିଲକ୍ଷିତ ହୋଇପାରିନାହିଁ ।
ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଚଳିତ ମାସ ଶେଷ ସୁଦ୍ଧା ହେବାକୁ ଥିବା ଶ୍ରମ ଦିବସ ପୁରଣଠାରୁ ବହୁ ଦୂରରେ ଅଛି । ୧୫ତମ କେନ୍ଦ୍ରୀୟ ଅନୁଦାନରେ ସମ୍ପାଦନ ହେବାକୁ ଥିବା କାର୍ଯ୍ୟରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ପ୍ରକଳ୍ପ ମାନ ଶେଷ ନହୋଇ ଅନେକ ପରିମାଣର ଅର୍ଥ ଖର୍ଚ୍ଚ ନହୋଇ ପଞ୍ଚାୟତରେ ଜମା ଅଛି । ଅମୃତ ସରୋବର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ଧାର୍ଯ୍ୟ ସମୟ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଅସହଯୋଗ କରୁଥିବାରୁ ତାହା ସମ୍ପନ୍ନ ହୋଇପାରୁ ନଥିବା ଉପରିସ୍ଥ ଅଧିକାରୀଙ୍କ ସମୀକ୍ଷା ବୈଠକରେ ପଞ୍ଚାୟତ ସମିତି ଅପମାନିତ ହେବାକୁ ପଡୁଛି । ପଞ୍ଚାୟତ ନିର୍ବାହୀ ଅଧିକାରୀ କୌଣସି କାର୍ଯ୍ୟ ସମ୍ପାଦନ ପାଇଁ ପଦକ୍ଷେପ ଗ୍ରହଣ କଲେ ତାହାକୁ ପ୍ରତିବାଦ କରୁଛନ୍ତି ।
ଏହା ବି ପଢନ୍ତୁ- ଖତ ଖାଉଛି ଅଳିଆ ବୁହା ଗାଡି, 19ଟି ୱାର୍ଡରୁ ଉଠିପାରୁନି ଅଳିଆ