ମାଲକାନଗିରି: ଜିଲ୍ଲାର ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ଆଦିବାସୀ ଓ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ ହେବା ପରେ ସେଠାରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି । ନକ୍ସଲ ମାନେ ନିଆଁ ଲଗାଇ ଆଦିବାସୀଙ୍କ ଘର ଦ୍ବାର ଓ ମୋଟର ସାଇକେଲ ଜାଳି ଦେବା ପରେ ଲୋକଙ୍କୁ ଏବେ ସୁରକ୍ଷା ଦେଉଛି ପୋଲିସ । ଜିଲ୍ଲାପାଳ ଓ ଏସପି ଘଟଣା ସ୍ଥଳରେ ପହଞ୍ଚି ଘର ନଷ୍ଟ ହୋଇଥିବା ଲୋକଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ଯୁଦ୍ଧ କାଳିନ ଭିତ୍ତିରେ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଉ ଏହି ସମୟରେ ଗ୍ରାଉଣ୍ଡରେ ପହଞ୍ଚିଥିଲା ଆମ ଟିମ ।
ମାଲକାନଗିରି ଇତିହାସରେ ପ୍ରଥମ । ମାଓବାଦୀଙ୍କୁ ସ୍ବାଭିମାନ ଅଞ୍ଚଳବାସୀଙ୍କ କଡା ଜବାବ। ଘର ଭିତରେ ଲୁଚି ନବସି, ମାଓବାଦୀଙ୍କ ନାଲିଆଖିକୁ ବେଖାତିର କରି, ରବିବାର ଲାଲବାହିନୀଙ୍କୁ ପାନେ ଦେଇଥିଲେ ଆଦିବାସୀ । ଯାହା ଫଳରେ ଜଣେ ହାର୍ଡକୋର ନକ୍ସଲ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣକୁ କାବୁ କରି ପୋଲିସରେ ଜିମା ଦେଇଥିଲେ ଗାଁ ଲୋକେ । ଘଟଣା ପରେ ଗତକାଲି ଯୋଡାମ୍ବ ଗାଁରେ ମାଓବାଦୀ ମାନେ ବ୍ୟାପକ ପୋଡାଜଳା କରିଥିଲେ । ସେପଟେ କ୍ଷତିଗ୍ରସ୍ତଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରିଲିଫ କ୍ୟାମ୍ପରେ ଲୋକଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ଦିଆଯାଉଛି । ଯେବେ ଯାଏଁ ପରିସ୍ଥିତି ନିୟନ୍ତ୍ରଣ ନ ହୋଇଛି ସେତେ ଦିନ କ୍ଷତିଗ୍ରସ୍ତ ରିଲିଫ କ୍ୟାମ୍ପରେ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି ।