ମାଲକାନାଗିରି:ଜିଲ୍ଲାରେ ପ୍ରତି ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ବନବିଭାଗ ତରଫରୁ ଜଳଚର ପକ୍ଷୀ ଗଣନା କରାଯାଇଥାଏ । ସେହିପରି ମାଲକାନଗିରି ବନଖଣ୍ଡରେ ପକ୍ଷୀଗଣନା କାର୍ଯ୍ୟ ବର୍ତ୍ତମାନ ସମାପ୍ତ ହୋଇଯାଇଛି । ହେଲେ ଚଳିତ ଜାନୁଆରୀ ମାସରେ ୯ଗୋଟି ସ୍ଥାନରେ ୧୦ ଗୋଟି ବନକର୍ମଚାରୀ ଦଳକୁ ନେଇ ପକ୍ଷୀ ଗଣନା କାର୍ଯ୍ଯ ସମ୍ପନ୍ନ କରାଯାଇଥିଲା । ମାଲକାନଗିରି ବନଖଣ୍ଡରେ ଏଥର ୧୪, ୨୩୦ ପକ୍ଷୀଙ୍କ ଆଗମନ ହୋଇଥିବା ପକ୍ଷୀଗଣନାରୁ ଜଣା ପଡ଼ିଛି । ଏଥିରେ ୪୪ଟି ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥିଲା । ସେଥିମଧ୍ଯରୁ ୨୨ ପ୍ରଜାତିର ପକ୍ଷୀ ବିଦେଶାଗତ ବୋଲି ଚିହ୍ନଟ ହୋଇଛି । ମାଲକାନଗିରି ବନାଞ୍ଚଳର ସତୀଗୁଡା ବନ୍ଧ, ମାଥିଲି ବନାଞ୍ଚଳର ଶିବନାଞ୍ଚ, ଚିତ୍ରକୁଣ୍ଡା ଜଳଭଣ୍ଡାର ଏବଂ ବାଲିମେଳା ମାଟି ବନ୍ଧରେ ସର୍ବାଧିକ ବିଦେଶାଗତ ପକ୍ଷୀ ଦୃଷ୍ଟିଗୋଚର ହୋଇଥିଲା ।
ଏମାନଙ୍କ ସୁରକ୍ଷା ଲାଗି ବନ ବିଭାଗ ଅଧିକ ସତର୍କତା ଅବଲମ୍ବନ କରିଛି । ପକ୍ଷୀ ଗଣନା ପାଇଁ ଜାନୁଆରୀ ୨ ତାରିଖରୁ ପ୍ରସ୍ତୁତି ଚାଲିଥିବା ବେଳେ କ୍ଷେତ୍ର କର୍ମଚାରୀମାନଙ୍କୁ ବନ୍ଯପ୍ରାଣୀ ବିଶେଷଜ୍ଞ ଡକ୍ଟର ନିମାଇଁ ଚରଣ ପଲାଇ ଏବଂ ଶ୍ରୀଭକ୍ତ ପଦାରବିନ୍ଦ ତାମିଲ ପ୍ରଦାନ କରିଥିଲେ । ପକ୍ଷୀ ଗଣନାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟ୍ଟାପଲ୍ଲୀ ଏବଂ ସହକାରୀ ବନସଂରକ୍ଷକ କନ୍ଦନ ସିଂ ପରାମର୍ଶ ଦେଇଥିଲେ । ଏହି ଗଣନାରେ ମାଲକାନଗିରି ବନଖଣ୍ଡରେ ଥିବା ସମସ୍ତ ବନାଞ୍ଚଳ ଅଧିକାରୀ, ବନାପାଳ ବନରକ୍ଷୀମାନେ ସୂଚାର ରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରକାଶ ଥାଉକି, ଗତ ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ମାଲକାନଗିରି ବନଖଣ୍ଡରେ ୧୦,୧୦୪ ପକ୍ଷୀ ଗଣନା କରାଯାଇଥିଲା ଏବଂ ୪୩ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥିଲା ।