ମାଲକାନଗିରି: ପୋଲିସ ପଞ୍ଝାରେ ଦୁର୍ନୀତିଗସ୍ତ ପୋଷ୍ଟ ମାଷ୍ଟର । ପ୍ରାୟ ୫ ମାସ ହେବ ପୋଲିସ ସହ ଲୁଚକାଳି ଖେଳିଆସୁଥିବା ପୋଷ୍ଟମାଷ୍ଟରକୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ଦୁର୍ନୀତିରେ ଜଡିତ ଭେଜାଙ୍ଗିୱାଡ଼ା ବ୍ରାଞ୍ଚ ପୋଷ୍ଟ ମାଷ୍ଟରକୁ ଗିରଫ କୋର୍ଟ ଚାଲାଣ କରିଛି ପୋଲିସ ।
ସୂଚନାଅନୁସାରେ, କାଲିମେଳା ବ୍ଳକର ଆଦିବାସୀ ବହୁଳ ଭେଜାଙ୍ଗିୱାଡ଼ା ଗ୍ରାମରେ ଥିବା ଗ୍ରାମ୍ୟ ଡାକଘରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଡାକଘର ଦାୟିତ୍ବରେ ଥିବା ମନ ପୂଜାରୀ ନାମକ ଜଣେ ଗ୍ରାମ୍ୟ ଡାକ କର୍ମଚାରୀ ଏହି ଘୋଟାଲାରେ ସଂପୃକ୍ତ ଥିବାର ହିତାଧିକାରୀମାନେ ଅଭିଯୋଗ କରିଥିଲେ । ଏଥିପାଇଁ ସେମାନେ ଏହାର ବିଧିବଦ୍ଧ ତଦନ୍ତ କରିବାକୁ ଦାବି କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏଥିରେ ଜଡିତ ମନ ପୂଜାରୀକୁ ଗିରଫ କରିଛି ପୋଲିସ ।
ଗତ ୪ବର୍ଷ ହେଲା ମନ ପୂଜାରୀ ଭେଜାଙ୍ଗିୱାଡା ଶାଖା ଡାକ ଘରେ ଜମାକାରୀମାନଙ୍କର ଟଙ୍କା ହଡ଼ପ କରିବା ଆରମ୍ଭ କରିଥିଲେ । ଜମାକାରୀମାନଙ୍କୁ ଜମାଖାତା ଦେଇ ସେଥିରେ ସିଲ୍ ଓ ଦସ୍ତଖତ କରି ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଚଞ୍ଚକତା କରି ହଡ଼ପ କରୁଥିଲେ । ଯାହାକ ଟେର ପାଉନଥିଲେ ଜମାକାରୀ । ଜମା ହେଉଥିବା ସେହି ଟଙ୍କା କାଲିମେଳା ସବପୋଷ୍ଟ ଅଫିସରେ ଜମା କରିବା କଥା । କିନ୍ତୁ ବହୁ ଦିନ ହେଲା ସେ ଏହା ନକରି ଜମା ଟଙ୍କା ହଡ଼ପ କରିଆସୁଥିଲେ ମନ ପୂଜାରୀ ।