ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାର ନିକଟରେ ରହିଛି ସତୀଗୁଡା ଜଳଭଣ୍ଡାର । ଯାହା ବର୍ତ୍ତମାନ ଲୋକଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନ ପାଲିଟିଛି । ସେତେବେଳେ ଶହ ଶହ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ମାଲକାନଗିରି ଠାରେ ଥଇଥାନ କରାଯିବା ସମୟରେ ସେମାନଙ୍କ ଚାଷଜମିରେ ଜଳଯୋଗାଣ ଉଦ୍ଦେଶ୍ୟରେ ସତୀଗୁଡ଼ା ଜଳଭଣ୍ଡାର ନିର୍ମାଣ କରାଯାଇଥିଲା । ତେବେ ବର୍ତ୍ତମାନ ଏହି ଜଳଭଣ୍ଡାରଟି ଏବେ ଧିରେ ଧିରେ ପୋତି ହେବାରେ ଲାଗିଛି ।
ମାଲକାନଗିରି ସହରର ଶୋଷ ମେଣ୍ଟାଉଛି ସତୀଗୁଡ଼ା ଜଳଭଣ୍ଡାର: ୧୯୬୬ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ରନାରୟଣ ସିଂହଦେଓ ଏହି ଜଳଭଣ୍ଡାରର ଉଦ୍ଘାଟନ କରିଥିଲେ । ସେହି ସମୟରେ ଜଳଭଣ୍ଡାର ନିର୍ମାଣ ପାଇଁ ପ୍ରାୟ ୧୭ କୋଟିରୁ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଜଳଭଣ୍ଡାର ନିର୍ମାଣ ପରେ ଡାହାଣ ଓ ବାମ କେନାଲ ମାଧ୍ୟମରେ ଚାଷୀଙ୍କ ଜମିରେ ସୁରୁଖୁରୁରେ ଜଳ ଯୋଗାଇ ଦେବା ପାଇଁ ପ୍ରକଳ୍ପ ନିର୍ମାଣ ହୋଇଥିଲ। । ଏହି ଜଳଭଣ୍ଡାରରୁ ଖରିଫ ଋତୁରେ ୯,୦୬୫ ହେକ୍ଟର ଚାଷଜମିକୁ ଜଳ ଯୋଗାଣର ବ୍ୟବସ୍ଥା ରହିଥିଲା ।
ସେହିଭଳି ରବି ଋତୁରେ ୪,୫୩୫ ହେକ୍ଟର ଜମିରେ ଜଳ ଯୋଗାଇବାର ବ୍ୟବସ୍ଥା ରହିଛି । ଏହାସହ ସେହି ସମୟରେ DNK ପ୍ରୋଜେକ୍ଟ ଆରମ୍ଭ ହବାପରେ ମାଲକାନଗିରି ସହରରେ ଥିବା DNK ପ୍ରୋଜେକ୍ଟର ୪୦୦ରୁ ୫୦୦ ଷ୍ଟାଫ୍ କ୍ବାଟର ଗୁଡିକୁ ଏହି ଜଳଭଣ୍ଡାରରୁ ପାଣି ଦିଆଯାଇଥିଲା । ଏବେ ମାଲକାନଗିରି ମୁନିସିପାଲଟିର ୫,୭୬୦ ଘରକୁ ପ୍ରତିଦିନ ୬.୩୦ ମିଲିୟନ ଲିଟର ଓ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତିଦିନ ୨ ଲକ୍ଷ ଲିଟର ପାଣି ସତୀଗୁଡା ଜଳଭଣ୍ଡାରରୁ ଯୋଗାଇ ଦିଆଯାଉଥିବା PHD JE ସୂଚନା ଦେଇଛନ୍ତି । ଚାଷୀଙ୍କ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ଏବେ ମାଲକାନଗିରି ସହରର ଶୋଷ ମେଣ୍ଟାଉଥିବା ଦେଖାଯାଉଛି । ଏହି ଜଳ ଯୋଗାଣ ନିମନ୍ତେ ସତୀଗୁଡା ଜଳସେଚନ ବିଭାଗ ପ୍ରତି ୟୁନିଟ ୧ କ୍ୟୁବିକ୍ ମିଟର ପିଛା ୪୪ ପଇସା ନେଉଥିବା ପୌରପରିଷଦରୁ ସୂଚନା ମିଳିଛି ।