ମାଲକାନଗିରି: ଗରିବଙ୍କ ପାଇଁ ମାଳ ମାଳ ରହିଛି ସରକାରୀ ଯୋଜନା । ହେଲେ ସେସବୁ ପହଞ୍ଚି ପାରୁନି ଲୋକଙ୍କ ପାଖରେ । କିଏ ଅର୍ଥ ଅଭାବରୁ ଚିକିତ୍ସା ପାଇଁ ଚିତ୍କାର କରୁଛି ତ ଆଉ କିଏ ଭୋକିଲା ରହି ଦିନ ବିତାଉଛି । ପୁଣି ଆଉ କିଏ କେଉଁଠି ଟିକେ ମୁଣ୍ଡ ଗୁଞ୍ଜିବା ପାଇଁ ସଂଘର୍ଷ କରୁଛି । ସେହିପରି ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ଉପାନ୍ତ, ପଛୁଆ, ଆଦିବାସୀ ଓ ମାଓବାଦୀ ପ୍ରବଣ ମାଲକାନଗିରି ଜିଲ୍ଲାରେ ।
ଆମେ କହୁଛୁ ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ କଟଲାଗୁଡାର ମାଳତୀ ଗୋଲରୀଙ୍କ କଥା । ଯାହାଙ୍କର ବୟସ 65 ବର୍ଷ ହେବ । ମାଳତୀ ଜଣେ କିନ୍ନର ହୋଇଥିବାବେଳେ, ଆଜନ୍ମରୁ ପିଛା ଛାଡୁନି ଦୁଃଖ । କିନ୍ନର ରୂପରେ ଜନ୍ମ ହେବାପରେ ଦୂରେଇଦେଲେ ପରିବାର । ଏହାପରେ ସାମାଜିକ ବାସନ୍ଦ କଲା ସମାଜ । ଏହା ଉପରେ ପୁଣି ଦାଉ ସାଜିଛନ୍ତି ଭଗବାନ । ମୁଣ୍ଡଗୁଞ୍ଜିବାକୁ ଅଛି ନା ଘର ନା ଆହେପଦେ କହିବାକୁ ସମ୍ପର୍କୀୟ । ଏବେ ବର୍ଷ ବର୍ଷ ଧରି ଏକ ଗଛ ମୂଳରେ ଆଶ୍ରୟ ନେଉଛନ୍ତି ମାଳତୀ । କିନ୍ନର ବୋଲି ମଧ୍ୟ ସରକାରୀ ବାବୁ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଦୃଷ୍ଟି ଆଡୁଆଳରେ ରହି ଯାଇଛନ୍ତି ସେ ।