ମାଲକାନଗିରି: ଜିଲ୍ଲା ସୀମାନ୍ତ ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ତୋଟାଗୁଡା ଗ୍ରାମ ଜଙ୍ଗଲରେ ଗତକାଲି (ଗୁରୁବାର) ମାଓ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ । ଏନକାଉଣ୍ଟରରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଜଣେ ମାଓବାଦୀକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଲକ୍ଷ୍ମଣ ଗୋଲୋରୀ ନାମକ ଏହି ମାଓବାଦୀକୁ ପ୍ରଥମିକ ଚିକିତ୍ସା କରାଯିବା ପରେ ଗିରଫ କରାଯାଇଛି ।
ବର୍ତ୍ତମାନ ଲକ୍ଷ୍ମଣ ଗୋଲୋରୀ ସୁସ୍ଥ ଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନ ପୋଲିସ ଗିରଫ ମାଓବାଦୀକୁ ଅଧିକ ପଚରାଉଚରା ଜାରି ରଖିଛି । ସେପଟେ ମାଓବାଦୀ ମିଲିଟାରୀ ପ୍ଲାଟୁନ କମାଣ୍ଡର କିଶୋର ଓରଫ ମାଶା କବାସୀ ପୋଲିସ ସହ ଗୁଳି ବିନିମୟ ବେଳ ପ୍ରାଣ ହରାଇଛି । କିଶୋର ଛତିଶଗଡ଼ର ଚନ୍ଦାମେଟା ଅଞ୍ଚଳ ବାସିନ୍ଦା ବୋଲି ଜଣାପଡ଼ିଛି । ବିଭିନ୍ନ ମାଓ କାର୍ଯ୍ୟକଳାପର ନେତୃତ୍ବରେ ନେଉଥିଲା କିଶୋର । ଏହି ହାର୍ଡକୋର ମାଓବାଦୀ ଉପରେ 8 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।
48 ଘଣ୍ଟା ଧରି ଓଡିଶା ପୋଲିସର ଏସଓଜି, ଡିଭିଏଫ ଓ ବିଏସଏଫ ସହ ଆନ୍ଧ୍ରପ୍ରଦେଶ ଗ୍ରେହାଉଣ୍ଡ ମିଳିତ ଭାବରେ ଏହି ଅପରେସନ ଚଳାଇଥିଲେ । ଗୁଇନ୍ଦା ସୂତ୍ରରୁ ମାଲକାନଗିରି ସିମାନ୍ତ ଜୋଡାମ୍ବ ଥାନା ଯନ୍ତ୍ରୀ ଗ୍ରାମରେ ମାଓବାଦୀ ମିଲିଟାରୀ ପ୍ଲାଟୁନ ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ । ଅପରେସନ ବେଳେ ମାଓବାଦୀମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ । ଜବାବରେ ସୁରକ୍ଷାକର୍ମୀମାନେ ମଧ୍ୟ ମାଓବାଦୀ ଉପରକୁ ଗୁଳି ଚାଳନା କରିଥିଲେ । ଫଳରେ ଘଟଣାସ୍ଥଳରେ ଥିବା ଅନ୍ୟ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ଏକେ-୪୭ ରାଇଫଲ ସହ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଏହାକୁ ନେଇ ମାଲକାନଗିରି ଡିଆଇଜି ସଫିନ ଅହମ୍ମଦ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।