ମାଲକାନଗିରି:ମାଲକାନଗିରି ଜିଲ୍ଲାରେଅବ୍ୟବସ୍ଥା ଘେରରେ ମଣ୍ଡି ବ୍ୟବସ୍ଥା । ମଣ୍ଡି ଖୋଲା ଯାଇଥିଲେ ମଧ୍ୟ ଧାନ ବିକ୍ରି ପାଇଁ ଚାଷୀଙ୍କ ପାଖକୁ ଆସୁନି ଟୋକନ । ଯାହାଫଳରେ ଚାଷୀ ନିଜର ଅମଳ ଧାନକୁ ବାଧ୍ୟ ହୋଇ ପଡୋଶୀ ରାଜ୍ୟର ଦଲାଲଙ୍କୁ ବିକୁଥିବା ଭଳି ଅଭିଯୋଗ ସାମ୍ନାକୁ ଆସିଛି । ଅନ୍ୟପଟେ କଟନୀ ଛଟନୀ ପାଇଁ ମଧ୍ୟ ଚାଷୀ ମଣ୍ଡିରେ ଧାନ ହେବାକୁ ଇଚ୍ଛା ପ୍ରକାଶ କରୁନଥିବା ଜଣାପଡିଛି । ଏଥିସହ ବର୍ତ୍ତମାନ ସୁଦ୍ଧା ଫିଲ୍ଡ ସର୍ଭେ ମଧ୍ୟ ଶେଷ ହୋଇନଥିବା ଜଣାପଡିଛି ।
ଅମଳ ଧାନକୁ ବିକିବା ପାଇଁ ଜଗି ବସିଛି ଚାଷୀ । ମାଲକାନଗିରିରେ ମଣ୍ଡି ଖୋଲିବାର ୧୦ ଦିନ ବିତିଯାଇଥିଲେ ମଧ୍ୟ ଅନେକ ଚାଷୀଙ୍କୁ ଏବେ ସୁଦ୍ଧା ଟୋକନ ମିଳିନାହିଁ । ଟୋକନ ଆସିବା ତ ଦୂରର କଥା ଚାଷୀଙ୍କ ଜମି ସର୍ଭେ ଶେଷ ହୋଇପାରୁ ନାହିଁ । ଏଭଳି ସ୍ଥିତିରେ ସର୍ଭେ କେବେ ଶେଷ ହେବ ଓ ଟୋକନ କେବେ ଆସିବ ସେନେଇ ଚାଷୀ ଚାହିଁ ବସିଛନ୍ତି । ମାଲକାନଗିରିରେ ଚଳିତ ବର୍ଷ ଧାନ ମଣ୍ଡି କ୍ଷେତ୍ରରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ।
ସାଟଲାଇଟ ସର୍ଭେ ପରେ ଫିଲ୍ଡ ସର୍ଭେ ଶେଷ ହୋଇପାରୁନଥିବା ବେଳେ ଚାଷୀଙ୍କୁ ଟୋକନ ମିଳିପାରୁନି । ଏଥିସହ କେତେକ ମଣ୍ଡିରେ କଟନୀ ଛଟନୀ ଯୋଗୁଁ ଧାନ ବିକ୍ରିବାକୁ ଚାଷୀମାନେ ଇଚ୍ଛା ପ୍ରକାଶ କରୁନାହାନ୍ତି । ଯେଉଁଁଥିପାଇଁ ଚାଷୀ ପଡୋଶୀ ରାଜ୍ୟର ଦଲାଲକୁ ଧାନ ବିକ୍ରି କରି ଦେଉଥିବାର ଦେଖିବାକୁ ମିଳୁଛି ।
ସୂଚନା ଅନୁଯାୟୀ, ଚଳିତ ବର୍ଷ ମଣ୍ଡିରେ ଧାନ ବିକ୍ରି ପାଇଁ ଜିଲ୍ଲାରେ ୩୯ ହଜାର ୬୩୫ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ଏନେଇ ଚାଷୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପରେ ଅନେକ ଚାଷ ଜମିରେ ଚାଷ ହୋଇନଥିବା ଜଣାପଡିଥିଲା । ଏଥିପାଇଁ ସାଟେଲାଇଟ ସର୍ଭେ ହୋଇଥିବା ବେଳେ ସେଥିରୁ ଚାଷ ହୋଇନଥିବା କିମ୍ବା ସନ୍ଦେହ ରହିଥିବା ପ୍ଲଟ ବିଷୟରେ ତଥ୍ୟ ମିଳିଥିଲା । ତେବେ ଜିଲ୍ଲାରେ ୨୧ ହଜାର ୮୯୮ଟି ପ୍ଲଟରେ ଚାଷ ହୋଇନଥିବା ଜଣାପଡିଥିଲା ।
ସେହି ପ୍ଲଟଗୁଡିକରେ ସର୍ଭେ ଟିମ୍, କୃଷି ଓ ରାଜସ୍ବ ବିଭାଗର କର୍ମଚାରୀ ମିଳିତ ଭାବରେ ଯାଞ୍ଚ ଜାରି ରଖିଥିଲେ ମଧ୍ୟ ଏବେ ସୁଦ୍ଧା ତାହା ଶେଷ ହୋଇପାରି ନାହିଁ । ଜିଲ୍ଲାରେ ୧୬୪୭ଟି ପ୍ଲଟ ସର୍ଭେ ଶେଷ ହୋଇପାରିନଥିବା ବେଳେ ଗତ ୨୦ ତାରିଖରୁ ମଣ୍ଡି ଆରମ୍ଭ ହୋଇସାରିଲାଣି । ସେହିପରି ମାଲକାନଗିରିରେ ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ୪୦ ହଜାର ୨୯୮ କ୍ବିଣ୍ଟାଲ ଧାନ କିଣିବା ଧାର୍ଯ୍ୟ କରାଯାଇଛି । ଏନେଇ ଚାଷୀଙ୍କ ନିକଟରେ ମୋଟ ୫୫ ହଜାର ୯୭୨ଟି ଟୋକନ ପହଞ୍ଚିପାରିଛି । ଆହୁରି ଅନେକ ଚାଷୀ ଟୋକନ ନପାଇ ଜଗି ବସିଛନ୍ତି । ଏଥିମଧ୍ୟରେ ଯେଉଁ ଚାଷୀ ଋଣ କରି ଚାଷ କରିଛନ୍ତି ସେମାନେ ତୁରନ୍ତ ବିକ୍ରି ପାଇଁ ଚେଷ୍ଟା କରୁଛନ୍ତି ।