ଓଡିଶା

odisha

ETV Bharat / state

ଭିତ୍ତିଭୂମି ଅଭାବରୁ ଆରମ୍ଭ ହୋଇପାରୁନି ବିଇଡି ପାଠ୍ୟକ୍ରମ, ଜିଲ୍ଲାପାଳଙ୍କୁ ଭେଟିଲେ ବୁଦ୍ଧିଜୀବୀ - ମାଲକାନଗିରି ସ୍ବାସ୍ଥ୍ୟ ସମସ୍ୟା

ବିଇଡି କଲେଜକୁ ମଡେଲ ଡିଗ୍ରୀ କଲେଜକୁ ହସ୍ତାନ୍ତର କରି ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଦାବି କଲେ ବୁଦ୍ଧିଜୀବୀ । ନାକ ମାନ୍ୟତା ପାଇନଥିବାରୁ ଆରମ୍ଭ ହୋଇପାରୁନାହିଁ ଇଣ୍ଟିଗ୍ରେଟେଡ ବିଇଡି ପାଠ୍ୟକ୍ରମ । ଅଧିକ ପଢନ୍ତୁ

ବିଇଡି କଲେଜକୁ ମଡେଲ ଡିଗ୍ରୀ କଲେଜକୁ ହସ୍ତାନ୍ତର କରି ପାଠ୍ୟକ୍ରମ ଆରମ୍ଭ
ବିଇଡି କଲେଜକୁ ମଡେଲ ଡିଗ୍ରୀ କଲେଜକୁ ହସ୍ତାନ୍ତର କରି ପାଠ୍ୟକ୍ରମ ଆରମ୍ଭ

By

Published : May 7, 2023, 6:03 PM IST

ବିଇଡି କଲେଜକୁ ମଡେଲ ଡିଗ୍ରୀ କଲେଜକୁ ହସ୍ତାନ୍ତର କରି ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଦାବି କଲେ ବୁଦ୍ଧିଜୀବୀ

ମାଲକାନଗିରି:ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ବିଇଡି କଲେଜକୁ କାର୍ଯ୍ୟକ୍ଷମ କରିବାପାଇଁ ଜିଲ୍ଲାର ବୁଦ୍ଧିଜୀବୀ ସଙ୍ଗଠନର ସଦସ୍ଯମାନେ ଅଣ୍ଟା ଭିଡିଛନ୍ତି । ପରିତ୍ୟକ୍ତ ହୋଇ ପଡିରହିଥିବା ବିଇଡି କଲେଜ ଓ ମାଲକାନଗିରି ମଡେଲ ଡିଗ୍ରୀ କଲେଜ କ୍ୟାମ୍ପସ ବୁଲି ଦେଖିବା ସହ ଏହି ବୁଦ୍ଧିଜୀବୀମାନେ ସ୍ଥିତି ପରଖିଥିଲେ । ପରେ ଜିଲ୍ଲାପାଳଙ୍କୁ ଭେଟି ବିଇଡି କଲେଜକୁ ମଡେଲ ଡିଗ୍ରୀ କଲେଜକୁ ସ୍ଥାନାନ୍ତର କରି ପାଠପଢା ଆରମ୍ଭ କରିବାକୁ ଏମାନେ ଦାବି କରିଥିଲେ ।

ମାଲକାନଗିରି ବିଇଡି କଲେଜ କିଭଳି ପରିତ୍ୟକ୍ତ ଅବସ୍ଥାରେ ରହିଛି ଏନେଇ ଇଟିଭି ଭାରତରେ ଗତ ୩ ତାରିଖରେ ଖବର ପ୍ରସାରଣ କରାଯାଇଥିଲା । ଏହାପରେ ଜିଲ୍ଲାର ବୁଦ୍ଧିଜୀବୀମାନେ ଏହି ପ୍ରସଙ୍ଗକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ । ପରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଏକ ଟିମ୍ ବିଇଡି କଲେଜ ପରିସର ବୁଲି ଦେଖିଥିଲେ । ଏହି ଟିମ୍‌ରେ ଶିକ୍ଷାବିତ୍ ଡା.ମନୋଜ ସାହୁ, ସମାଜସେବୀ ଦୁର୍ଗାପ୍ରସାଦ ତ୍ରିପାଠୀ, ସମାଜସେବୀ ତଥା ଆଇନଜୀବୀ ଦିଲ୍ଲିପ ପାତ୍ର, ଆଇନଜୀବୀ ଶିଶିର ମହାପାତ୍ର ଓ ଗଣମାଧ୍ୟମ ପ୍ରତିନିଧି ପଞ୍ଚାନନ ଦାଶ ପ୍ରମୁଖ ରହି କଲେଜର ସ୍ଥିତି ପରଖି ଦେଖିଥିଲେ । ପରେ ଏହା ମଡେଲ୍‌ ଡିଗ୍ରୀ କଲେଜକୁ ହସ୍ତାନ୍ତର କରାଯାଇଥିବା ଜାଣିବା ପରେ ବୁଦ୍ଧିଜିବୀଙ୍କ ସଙ୍ଗଠନ ସଦସ୍ଯମାନେ ମାଲକାନଗିରି ଏମଭି-୩ ସ୍ଥିତ ମଡେଲ ଡିଗ୍ରୀ କଲେଜକୁ ଯାଇ କଲେଜ ଅଧ୍ୟକ୍ଷଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ ।

ଅଧ୍ୟକ୍ଷଙ୍କ ସୂଚନା ଅନୁସାରେ, ମଡେଲ ଡିଗ୍ରୀ କଲେଜରେ ୨୦୨୪ ମସିହାରେ ଇଣ୍ଟିଗ୍ରେଟେଡ୍‌ ବିଇଡି ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଚିଠି କରିଛି । କିନ୍ତୁ କଲେଜରେ ଭିତ୍ତିଭୂମିର ଅଭାବ ଯୋଗୁଁ ଏଠାରେ ବିଇଡି ପାଠ୍ୟକ୍ରମ ଆରମ୍ଭ ହେବା ସମ୍ଭବପର ନଥିବା କଲେଜ ଅଧ୍ୟକ୍ଷ କହିଥିଲେ । କଲେଜକୁ ଆସିବାପାଇଁ ଭଲ ରାସ୍ତାଟିଏ ନଥିବା ବେଳେ କଲେଜର ପାଚେରୀ ମଧ୍ୟ ନାହିଁ । ସେହିଭଳି ଲାଇବ୍ରେରୀ, କ୍ୟାଣ୍ଟିନ୍ ଓ ଆବଶ୍ୟକ ସଂଖ୍ୟାରେ ଅଧ୍ୟାପକ ମଧ୍ୟ ନାହାନ୍ତି । ଏହିସବୁ ଉପଯୁକ୍ତ ଭିତ୍ତିଭୂମି ନଥିବାରୁ ଏହି କଲେଜକୁ ନାକ୍ ମାନ୍ୟତା ମିଳି ପାରୁନାହିଁ । ଯେବେ ସୁଦ୍ଧା ନାକ୍ ମାନ୍ୟତା ନମିଳିଛି ସେବେ ଯାଏଁ ଏଠାରେ ବିଇଡି ପାଠ୍ୟକ୍ରମ ଆରମ୍ଭ କରାଯାଇ ପାରିବନାହିଁ କହିଛନ୍ତି କଲେଜ ଅଧକ୍ଷ ।

ଏପରି ସ୍ଥଳେ ବୁଦ୍ଧିଜୀବୀ ସଂଗଠନ ଅନ୍ୟ ଏକ ବିକଳ୍ପ ମଧ୍ୟ ଅଧ୍ୟକ୍ଷଙ୍କ ସାମ୍ନାକୁ ଆଣିଥିଲେ । ଏହି ବିଇଡି କଲେଜ ବଲ୍ଡିଂଟି ଏବେ ମଡେଲ ଡିଗ୍ରୀ କଲେଜ ଅଧୀନରେ ରହିଛି । ଏଠାରେ ନାକ୍ ମାନ୍ୟତା ପାଇବା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମୀ ମଧ୍ୟ ସେଠାରେ ରହିଛି । ତେଣୁ ଉଭୟ କ୍ୟାମ୍ପସ ପରିସୀମାକୁ ସଂଲଗ୍ନ କରାଗଲେ, ତାହା ନାକ୍‌ ମାନ୍ୟତା ପାଇଁ ଆବଶ୍ୟକ ମାପଦଣ୍ଡ ପୂରଣ କରିପାରିବ । ନାକ୍‌ ମାନ୍ୟତା ମିଳିବା ପରେ ମଡେଲ ଡିଗ୍ରୀ କଲେଜରେ ସମନ୍ବିତ ବିଇଡି ପାଠ୍ଯକ୍ରମ ଆରମ୍ଭ ହେବା ସମ୍ଭବପର ହୋଇପାରିବ । ଏପରି ପ୍ରସ୍ତାବରେ କଲେଜ ଅଧ୍ୟକ୍ଷ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଆବଶ୍ୟକ ପ୍ରକାଶ କରିଥିଲେ ।

ଏହାପରେ ବୁଦ୍ଧିଜୀବୀ ସଙ୍ଗଠନର ସଦସ୍ଯମାନେ ମାଲକାନଗିରି ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟକାଳୟରେ ଭେଟି ସମସ୍ତ ବିଷୟ ଆଲୋଚନା କରିଥିଲେ । ତା’ସହ ମଡେଲ ଡିଗ୍ରୀ କଲେଜର ଆଠ ଏକର ଜମି ଥିବାବେଳେ ବର୍ତ୍ତମାନ ସୁଧା ଏହାର ପଟା ପ୍ରଦାନ କଯାଇନଥିବାରୁ ସେଠାରେ କଲେଜର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଇ ପାରୁନଥିବା ଜିଲ୍ଲାପାଳଙ୍କୁ ଜଣାଇଥିଲେ ବୁଦ୍ଧିଜୀବୀ ସଙ୍ଗଠନର ସଦସ୍ଯ । ଜିଲ୍ଲାପାଳଙ୍କୁ ଦେଖା କରିବାପରେ ସେଠାରେ ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟର ଏକ ବିଭାଗ ମାଲକାନଗିରିରେ ଖୋଲା ଯିବାପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜିଲ୍ଲାପାଳ ବୁଦ୍ଧିଜୀବୀଙ୍କୁ ଅବଗତ କରିଥିଲେ ଜିଲ୍ଲାପାଳ ।

୨୦୧୮ ମସିହାରୁ ଏହି ବିଇଡି କଲେଜ ପାଇଁ ବିଲ୍ଡିଂଟି ଉଦ୍ଘାଟନ ହୋଇ ପଡି ରହିଥିବା ବେଳେ ବର୍ତ୍ତମାନ ସୁଧା ଏହା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ସେପଟେ ଜିଲ୍ଲାପାଳ ଏଠାରେ ବିକ୍ରମଦେବ ବିଶ୍ବବିଦ୍ୟାଳୟର ଏକ ବିଭାଗ ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ବର୍ତ୍ତମାନ ସୁଧା ବିଇଡି ପାଠ୍ୟକ୍ରମ ଆରମ୍ଭ ହୋଇନାହିଁ । ଏପରି ସ୍ଥିତିରେ ମାଲକାନଗିରିରେ ଏହା କିଭଳି ଆରମ୍ଭ କରାଯିବ ଓ ଆଉ କେତେ ବର୍ଷ ଏହି ବିଲ୍ଡିଂ ଏଭଳି ପଡ଼ି ରହିବ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ସଙ୍ଗଠନ ।


ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details