ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ପୁଣି ଥରେ ବେହାଲ ହୋଇଛି ଜିଲ୍ଲା । ସମସ୍ତ ନଦୀରେ ଜଳପତ୍ତନ ବୃଦ୍ଧି ପାଇଥିବା ବେଳେ ସାବେରୀ, ସିଲେରୁ, ସପ୍ତଧାରା ଓ ପୋଟେରୁ ନଦୀରେ ଜଳସ୍ତର ବିପଦ ସଙ୍କେତ ଊର୍ଦ୍ଧ୍ବରେ ରହିଛି । ବନ୍ୟା ପରିସ୍ଥିତି ମୁକାବିଲା କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଅଗ୍ନିଶମ ଅଧିକାରୀ, ବିଡ଼ିଓ ଓ ତହସିଲଦାର ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବର୍ଷାରେ ବେହାଲ ମାଲକାନଗିରି, ବୃଦ୍ଧି ପାଉଛି ବିଭିନ୍ନ ନଦୀ ଜଳସ୍ତର - heavy rain in malkangiri
ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଆଗୁଆ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ସମସ୍ତ ଅଗ୍ନିଶମ ଅଧିକାରୀ, ବିଡ଼ିଓ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
ମାଲକାନଗିରି-ମୋଟୁ ରାସ୍ତାର ଏମଭି 96 ଗାଁର ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଯାହା ଫଳରେ ମାଲକାନଗିରି ରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲର ଉଭୟ ପାର୍ଶ୍ବରେ ଅନେକ ଲୋକ ଫସି ରହିଛନ୍ତି । ସେହିପରି କାଲିମେଳା ବ୍ଲକର ତଳିଆ ଅଞ୍ଚଳରେ ଲୋକଙ୍କ ଘର ଦ୍ବାର ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି । ଯଦି ଏପରି ବର୍ଷା ଲାଗି ରହେ ତେବେ ପୋଟେରୁ, ପୋଡିଆ, କୋରକୋଣ୍ଡା ଓ ମୋଟୁ ଅଞ୍ଚଳର ସମସ୍ତ ଗାଁ ବନ୍ୟା ପାଣିରେ ବୁଡିବାର ଆଶଙ୍କା ରହିଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ