ମାଲକାନଗିରି:ରାଜରାସ୍ତାକୁ ଓହ୍ଲାଇଲେ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟରତ ଠିକା କର୍ମଚାରୀ । ସ୍ଥାୟୀ ନିଯୁକ୍ତି ସହ ବିଭିନ୍ନ ଦାବି ପୂରଣ ନେଇ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଏଡସ୍ ନିୟନ୍ତ୍ରଣ ସୋସାଇଟି ଅଧିନରେ ଥିବା ଶତାଧିକ ଠିକା କର୍ମଚାରୀ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଅକ୍ଟୋବର 16 ତାରିଖ ଦିନ ରାଜ୍ୟ ସରକାର ସମସ୍ତ ବିଭାଗର ଠିକାକର୍ମଚାରୀଙ୍କୁ ନିୟମିତ କରିଛନ୍ତି । ହେଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଏଡସ୍ ନିୟନ୍ତ୍ରଣ ସୋସାଇଟି ଅଧିନରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ଏଥିରୁ ବାଦ ଦିଆଯାଇଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି । ଦୀର୍ଘ 15 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଦାବି ପୂରଣ ହୋଇନାହିଁ । ଯାହା ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି ବୋଲି ଠିକା କର୍ମଚାରୀ କହିଛନ୍ତି ।
ଏନେଇ ସେମାନେ ଆହୁରି ମଧ୍ୟ କହିଛନ୍ତି, "ମାଲକାନଗିରି ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ୧୬୮ ଜଣ କାର୍ଯ୍ୟ କରୁଛନ୍ତି । ମାଲକାନଗିରି ଭଳି ଦୁର୍ଗମ, ନକ୍ସଲ ପ୍ରବଣ ଅଞ୍ଚଳରେ କାମ କରିବା କେତେ କଷ୍ଟ ଦାୟକ ତାହା ନିଜେ ଅଙ୍ଗେ ନନିଭାଇଲେ ଜାଣିହେବ ନାହିଁ ବୋଲି ଅଭିଯୋଗ କରାଯାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଏଡସ୍ ନିୟନ୍ତ୍ରଣ ସୋସାଇଟି ଅଧିନରେ ଠିକା କର୍ମଚାରୀଙ୍କୁ ବାଦ ଦେଇ ଅନ୍ୟ ବିଭାଗର ୫୭ ହଜାର ଠିକା କର୍ମଚାରୀଙ୍କୁ ନିୟମିତ କରାଯାଇଥିବାରୁ ଆମେ ମର୍ମାହତ । ଏହି ତିନି ବିଭାଗରେ ରାଜ୍ୟର ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଠିକା କର୍ମଚାରୀ ନିୟମିତ ହୋଇପାରି ନାହାନ୍ତି ।"