ମାଲକାନଗିରି: ରାଜ୍ୟପାଳଙ୍କ ଦିନିକିଆ ମାଲକାନଗିରି ଗସ୍ତ । ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି ରାଜ୍ୟପାଳ ରଘୁବର ଦାସ । ନାରୀ ସଶକ୍ତିକରଣର ବାର୍ତ୍ତା ଦେଇ ରାଜ୍ୟପାଳ କହିଛନ୍ତି, "ଆମର ସମାଜ ସବୁ ସମୟରେ ନାରୀମାନଙ୍କୁ ସମ୍ନାନ ଦେଇ ଆସିଛି । ମହିଳାମାନଙ୍କ କ୍ଷେତ୍ରରେ ସହନଶୀଳତା ଭରପୁର ହୋଇ ରହିଛି । ନିଜେ ଘର କାମ କରିବା ସହ ପୁରୁଷଙ୍କୁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିଆସୁଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜେ ରୋଜଗାରକ୍ଷମ ହୋଇ ଆର୍ଥିକ ବିକାଶ କରିପାରୁଛନ୍ତି । ବିକଶିତ ଭାରତ ଓ ବିକଶିତ ପଞ୍ଚାୟତ ଗଠନ ପାଇଁ ନାରୀ ଶକ୍ତିର ଯୋଗଦାନ ରହିଛି । ପଞ୍ଚାୟତର ବିକାଶ ପାଇଁ ଶିକ୍ଷିତ ସମାଜ ଆବଶ୍ୟକ । ଗରିବୀ ହଟାଇବା ପାଇଁ ଶିକ୍ଷାର ଆବଶ୍ୟକତା ରହିଛି । ତେଣୁ ସମସ୍ତ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ଅଭିଭାବକଙ୍କ ଦାୟିତ୍ୱ ।"
"ମାଲକାନଗିରି ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଜନସାଧାରଣ ବହୁ ସଂଖ୍ୟାରେ ରହିଛନ୍ତି । ସ୍ବାଧୀନତାକୁ ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ଗ୍ରାମାଞ୍ଚଳରେ ବହୁ ସମସ୍ୟା ଲାଗି ରହିଛି । ଏହି ପଞ୍ଚାୟତର କେତେକ ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିନଥିବା ଏକ ଦୁଃଖଦ ଘଟଣା । ପ୍ରଶାସନ ସହିତ ଜନସାଧାରଣଙ୍କ ସହଯୋଗର ମଧ୍ୟ ଆବଶ୍ୟକତା ରହିଛି । ଏଥସହ ସମାଜକୁ ମଦ ଓ ନିଶାମୁକ୍ତ କରିବା ଆବଶ୍ୟକ" ବୋଲି କହିବା ସହ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ, ମୁଦ୍ରା ଯୋଜନା, ଶୌଚାଳୟ, ଅନ୍ନ ଯୋଜନା ଓ ଉଜ୍ଜ୍ବଳା ଯୋଜନା ବିଷୟରେ ପ୍ରକାଶ କରିଥିଲେ ରାଜ୍ୟପାଳ ।
ଆଜି ସକାଳ ସାଢ଼େ ୧୦ଟା ବେଳେ ମହାମହିମ ରାଜ୍ୟପାଳ ହେଲିକପ୍ଟର ଯୋଗେ ମାଥିଲି ମିନି ଷ୍ଟାଡିୟମରେ ଓହ୍ଲାଇବା ପରେ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ରୋଗୀଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଚିକିତ୍ସାଳୟ ବୁଲି ଦେଖିଥିଲେ । ଏଥିସହ ଡାକ୍ତର ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ମାଥିଲି ବ୍ଲକ ପାଙ୍ଗାମ ପଞ୍ଚାୟତ ଅନ୍ତର୍ଗତ ବଡଗୁଡା ଗ୍ରାମରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଥିଲେ । ପାଙ୍ଗାମ ସରପଞ୍ଚ ଇନ୍ଦ୍ର ନାୟକ ପଞ୍ଚାୟତର କାଳିଅପୁଜାରୀଗୁଡା, ମାନନାୟକଗୁଡା, କଙ୍କଡାଗୁଡା, ଘେନାଗୁଡାରେ ଅଙ୍ଗନବାଡ଼ି କେନ୍ଦ୍ର ହୋଇପାରୁନଥିବା କହିଥିଲେ । ଚାଉଳମେନ୍ଦ୍ରୀ ସରପଞ୍ଚ ଜଳନ୍ଧର ନାୟକ ଧାନର ସହାୟକ ମୂଲ୍ୟବୃଦ୍ଧି ଓ ଜଳସେଚନର ଅସୁବିଧା କଥା କହିଥିଲେ । ସନ୍ତୋଷୀନି ପାତ୍ର ମାଥିଲି ଚିକିତ୍ସାଳୟରେ ବିଶେଷଜ୍ଞ ପଦବୀ ପୂରଣ ଓ ଆହର କେନ୍ଦ୍ର ଖୋଲିବା ପାଇଁ କହିଥିଲେ । ଏଥିସହ ସେଠାରେ ଜନସାଧାରଣ ମଦ ବିକ୍ରି ବନ୍ଦ କରିବା, ରୋଜଗାର ପ୍ରଦାନ ଓ ଜିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ଅଭିଯୋଗ ଶୁଣାଣି କରିଥିଲେ ।