ମାଲକାନଗିରି: ବାପ ମାଆ ଆରପାରିକୁ ଚାଲିଯିବା ପରେ ନିଜ ବୋଝ ନିଜ କାନ୍ଧରେ ବୋହି ବଞ୍ଚିବାକୁ ସାହାରା ଖୋଜୁଥିବା ଚାରି ଅସହାୟ ଶିଶୁଙ୍କୁ ସରକାରୀ ସାହାଯ୍ୟ ମିଳିଛି । ମାଲକାନଗିରିର ବେସାହାରା 4 ଅନାଥ ଭାଇ ଭଉଣୀ ଘଟଣାରେ ଇଟିଭି ଭାରତ ମାଧ୍ୟମରେ ଖବର ପ୍ରସାରିତ ହେବାପରେ ତତ୍ପରତା ଦେଖାଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ପଏଆଟିଡିଏ ତ୍ରିନାଥ ମାଝୀଙ୍କ ନେତୃତ୍ବରେ ଏକ ଟିମ୍ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ନାରାୟଣ ଦାସ , ବିଡିଓ ପଡିଆ ରାମଚନ୍ଦ୍ର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ବାଇଁ ଓ ବହୁ ଅଧିକାରୀ ଧରମପାଲ୍ଲୀ ଗାଁକୁ ପହଞ୍ଚି ଏହି ଚାରିଜଣ ଅନାଥ ଭାଇଭଉଣୀଙ୍କ ନିକଟକୁ ଯାଇ ଘଟଣା ବିଷୟରେ ପଚାରି ବୁଝିଥିଲେ ।
ଘଟଣା ସ୍ଥଳରେ ହିଁ ପଡିଆ ବିଡିଓ ଚାଉଳ ପାଇବା ପାଇଁ ରାସନ୍ କାର୍ଡ ଲକ୍ଷ୍ମୀ ମାଡିକୁ ଦେଇଥିଲେ । ପରେ ଲକ୍ଷ୍ମୀର ଦିବ୍ୟାଙ୍ଗ ଭାଇକୁ ମାଲକାନଗିରି ଜିଲ୍ଲା ହସ୍ପିଟାଲ୍କୁ ଚିକିତ୍ସା ପାଇଁ ପଠାଇଥିଲେ । ଚିକିତ୍ସା ପରେ ଘରନ୍ଦା ଯୋଜନାରେ ଓଡ଼ିଶାରେ ଥିବା ଚାରଟି ଅନୁଷ୍ଠାନ ମଧ୍ୟରୁ ଗୋଟିଏ ଅନୁଷ୍ଠାନରେ ସେମାନଙ୍କର ରହିବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ।