ମାଲକାନଗିରି:ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଛି । ଲଗାଣ ବର୍ଷାରେ ଘରର କାନ୍ଥ ପଡିଯିବାରୁ ଜଣେ ୪ ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଛି । ଏଥିରେ ଶିଶୁର ମାଆ ଓ ବାପା ଗୁରୁତର ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ମେଟାଗୁଡା ଗାଁରୁ ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମୃତ ଶିଶୁ ଗାଁର ଆଇତା ମାଡକାମିଙ୍କ ୪ ମାସର ଝିଅ ସ୍ବାତୀ । ବାପାମାଆ ୪ ମାସର ଶିଶୁ ସହ ଘରେ ଶୋଇଥିବାବେଳେ ତାଙ୍କର ଉପରେ କାନ୍ଥ ପଡିଥିବା ଜଣାପଡିଛି ।
ସୂଚନା ମୁତାବକ, ମେଟାଗୁଡା ଗ୍ରାମର ଆଇତା ମାଡକାମି, ତାଙ୍କ ସ୍ତ୍ରୀ ଓ ୪ ମାସର କୁନି ଝିଅ ସ୍ଵାତି ଘରେ ଶୋଇଥିଲେ । ଆଜି ସକାଳୁ ଅଚାନକ ଘରର କାନ୍ଥ ଭାଙ୍ଗି ତିନି ଜଣଙ୍କ ଉପରେ ପଡିଥିଲା । ଆଇତାଙ୍କ ପରିବାର ଲୋକଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ସେଠାକୁ ଧାଇଁ ଆସିଥିଲେ । ଗ୍ରାମବାସୀ ଭଙ୍ଗା କାନ୍ଥ ତଳୁ ବାପାମାଆ ଓ ଝିଅକୁ ଉଦ୍ଧାର କରି ନିକଟସ୍ଥ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଘଟଣାସ୍ଥଳରେ ହିଁ ୪ ମାସର ନିଷ୍ପାପ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ଏବେ ଶିଶୁର ବାପାମାଆ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।
ଏ ସମ୍ପର୍କରେ ଖବର ପାଇ ବିଡିଓ ରାମକୃଷ୍ଣ ନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି । ପୀଡିତ ପରିବାରକୁ ତୁରନ୍ତ ଥଇଥାନ କରିବା ଏବଂ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରି ବାସଗୃହ ଯୋଗାଇ ଦେବା ଦିଗରେ କାର୍ଯ୍ୟ କରିବାକୁ ସେ ପିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ସରପଞ୍ଚ ଲଛମନ ମାଡକାମି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଆଶ୍ଵସନା ଦେଇଥିବା ଦେଖିବାକୁ ମିଳିଛି ।