ଓଡିଶା

odisha

ETV Bharat / state

ମାଲକାନଗିରିରେ ଲଗାଣ ବର୍ଷା, ଅନେକ ଅଞ୍ଚଳ ଜଳମଗ୍ନ

ମାଲକାନଗିରିରେ ଲଗାଣ ବର୍ଷା ଜାରି ରହିଥିବାରୁ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଯାତାୟତ ବାଧାପ୍ରାପ୍ତ ହୋଇଛି । ଅଧିକ ପଢନ୍ତୁ...

ମାଲକାନଗିରିରେ ଲଗାଣ ବର୍ଷା; ଅନେକ ଅଞ୍ଚଳ ଜଳମଗ୍ନ
ମାଲକାନଗିରିରେ ଲଗାଣ ବର୍ଷା; ଅନେକ ଅଞ୍ଚଳ ଜଳମଗ୍ନ

By

Published : Aug 17, 2020, 11:10 AM IST

Updated : Aug 17, 2020, 2:02 PM IST

ମାଲକାନଗିରି: ଗତ 5ଦିନ ହେଲା ଲଗାଣ ବର୍ଷା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ମାଲକାନଗିରି ଜିଲ୍ଲା । କୋଙ୍କରକୋଣ୍ଡା, କନ୍ୟାଶ୍ରମ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଫଳରେ ମାଲକାନଗିରିରୁ କାଲିମେଳାକୁ 5 ଦିନ ହେବ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ କାଲିମେଳାରୁ ପଡିଆ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେହିପରି ଜିଲ୍ଲାରେ ଥିବା ଅନ୍ୟାନ୍ୟ ପୋଲ ଓ ରାସ୍ତା ଉପରେ ମଧ୍ୟ 4ରୁ 5 ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଅଧିକାଂଶ ଅଞ୍ଚଳ ଏବେ ଜଳମଗ୍ନ ଥିବାବେଳେ କଚା ଘର ଭାଙ୍ଗି ଯାଇଛି । ବହୁ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି ।

ମାଲକାନଗିରିରେ ଲଗାଣ ବର୍ଷା, ଅନେକ ଅଞ୍ଚଳ ଜଳମଗ୍ନ

ତେବେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର ପାଇଁ ପଦକ୍ଷେପ ନିଆଯାଉଛି । ଏଥିସହ ସେମାନଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇଦେବାର ମଧ୍ୟ ବ୍ୟବସ୍ଥା କରାଯାଉଛି । ମାଲକାନଗିରିରେ ଲଗାଣ ବର୍ଷା କ୍ଷତି ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି, ‘ବ୍ଲକ୍ ମୁଖ୍ୟାଳୟଗୁଡିକୁ ସଂଯୋଗ କରୁଥିବା ପୋଲ ନଷ୍ଟ ହୋଇଛି । ଜିଲ୍ଲାରେ ଯାତାୟାତ ନେଇ ଅସ୍ଥାୟୀ ସମସ୍ୟା ସୃଷ୍ଟି ହୋଇଛି । ପାଣି କମିବା ପରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ବର୍ଷା ପାଇଁ କୌଣସି ଜୀବନହାନୀ ହୋଇନାହିଁ ।’

ଏଥିସହ ଚିତ୍ରକୋଣ୍ଡା ଓ କାଲିମେଳା ବ୍ଲକରେ କିଛି ଘର ଭାଙ୍ଗିଛି । କଙ୍କୋରକୋଣ୍ଡାରେ ଭାସିଯାଇଥିବା ଟ୍ରକ୍‌ରୁ 2 ଜଣ ଉଦ୍ଧାର ହୋଇଛନ୍ତି । 34ଟି ଗାଁ ଲୋକଙ୍କ ଫସଲ ବର୍ଷା ପାଇଁ କ୍ଷତି ହୋଇଛି । ଗୋଟିଏ MIP ଚେକ୍‌ ଡ୍ୟାମ ଭାଙ୍ଗିବା ଯୋଗୁଁ ମାଥିଲିରେ ଚାଷ କ୍ଷତି ହୋଇଛି । ଫସି ରହିଥିବା ପ୍ରାୟ 100 ଜଣଙ୍କ ରହିବା ଓ ଖାଇବା ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ସେପଟେ ଏହି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ସଜାଗ ରହିଛି ପ୍ରଶାସନ । ଅଧିକ ପାଣି ପ୍ରବାହିତ ହେଉଥିବା ସ୍ଥାନରେ ରଶି ବାନ୍ଧି ଯାତାୟତ ବନ୍ଦ କରାଯାଇଥିବାବେଳେ ପୋଲିସ ମୁତୟନ କରାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Aug 17, 2020, 2:02 PM IST

ABOUT THE AUTHOR

...view details