ଓଡିଶା

odisha

ETV Bharat / state

ମାଲକାନଗିରିରେ ବନ୍ୟା ତାଣ୍ଡବ, 2 ଦିନ ଶିକ୍ଷାନୁଷ୍ଠାନ ବନ୍ଦ - ପାଣିରେ ଉବୁଟୁବୁ ମାଲକାନଗିରି

ବନ୍ୟାରେ ଉବୁଟୁବୁ ମାଲକାନଗିରି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ପୁଣି ଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ପାଇଁ ସାଧାରଣ ଲୋକ ନାହିଁ ନଥିବା ହଇରାଣ ହେଉଥିବା ବେଳେ ଅଧାବାଟରେ ଅଟକି ରହିଛି 108 ଆମ୍ବୁଲାନ୍ସ । ଏପରି ସ୍ଥିତିରେ 2 ଦିନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ଦେଇଛି ପ୍ରଶାସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ମାଲକାନଗିରି

By

Published : Aug 2, 2019, 7:57 PM IST

ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନଗରି ଜିଲ୍ଲାରେ ପୁଣି ଥରେ ବନ୍ୟା ପରିସ୍ତିତି। ଜିଲ୍ଲାର ସମସ୍ତ ନଦୀରେ ଜଳ ପତନ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ପାଙ୍ଗାମ, କାଙ୍କୁରୁକୋଣ୍ଡା, ପୋଟେରୁ, କୋରୁକୋଣ୍ଡା ଓ ଏମ.ଭି.୩୭ ସବୁ ନଦୀ ପୋଲ ଉପରେ ୪ ରୁ ୫ ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଛି । ଏଥିଯୋଗୁଁ ମାଲକାନଗିରି ଠାରୁ ଜୟପୁର, ମୋଟୁ, କାଲିମେଳା, ପଡିଆ, କୋରୁକୋଣ୍ଡା ଓ ବାଲିମେଳା ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ଜିଲ୍ଲାର ଅନେକ ଗାଁ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥିବା ବେଳ ଜିଲ୍ଲା ପ୍ରଶାସନ ୨ ଦିନ ଲାଗି ସ୍କୁଲ କଲେଜ ସବୁ ଛୁଟି କରି ବନ୍ୟାର ମୁକାବିଲା କରିବା ଲାଗି ପ୍ରସ୍ତୁତ ହୋଇ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ମାଲକାନଗିରି

ରାସ୍ତାରେ ବନ୍ୟା ପାଣି ଚାଲୁ ଥିବାରୁ ରାସ୍ତାରେ ଅଟକି ରହିଛି ୧୦୮ ଆମ୍ବୁଲାନ୍ସ। ଯାହାଦ୍ବାରା ଗର୍ଭଯନ୍ତ୍ରଣାରେ ମଝି ରାସ୍ତାରେ ଛଟପଟ ହେଉଛି ଗର୍ଭବତୀ । ସେହିପରି ମାଲକାନଗିରି ଠାରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଅଟକି ରହିଛି ଯାନବାହାନ। ବର୍ଷାରେ ପୋଟେରୁ ଅଞ୍ଚଳରେ ଶହ ଶହ ହେକ୍ଟର ଧାନ ଫସଲ ଜଳମଗ୍ନ ହୋଇ ରହିଥିବା ବେଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଛି । ଅନେକ ଲୋକଙ୍କ ଘର ଦ୍ବାର ବନ୍ୟା ପାଣିରେ ଭାଙ୍ଗି ଯାଇଥିବା ବେଳେ ପ୍ରଶାସନ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପାଖରେ ପହଞ୍ଚିନଥିବା ମଧ୍ୟ ଅଭିଯୋଗ ହୋଇଛି ।

କେବଳ ପୋଟେରୁ ଅଞ୍ଚଳ ନୁହେଁ ଲଗାଣ ବର୍ଷା ଯୋଗୁଁ ସମଗ୍ର ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି ଠାରୁ ବାଲିମେଳା ରାସ୍ତାର କୋରୁକୋଣ୍ଡା ଓ ଏମ.ଭି୩୭ ପୋଲ ଉପରେ ପାଣି ପ୍ରବାହିତ ହେଉଥିବା ଫଳରେ ଏହି ରାସ୍ତାରେ ଗମନାଗମନ ବନ୍ଦ ରହିଛି।

ସେପଟେ ମାଲକାନଗିରି ଜୟପୁର ରାସ୍ତାର ପାଙ୍ଗାମ ନଦୀ ଉପରେ ମଧ୍ୟ ପାଣି ପ୍ରବାହିତ ହେଉଛି ଫଳରେ ଜୟପୁରକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ପରିସ୍ଥିତି ଉପରେ ନଜର ରଖିବା ଲାଗି ସମସ୍ତ ବିଡିଓ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ବନ୍ୟାର ମୁକାବିଲା କରିବା ଲାଗି ମାଲକାନଗିରି, କାଲିମେଳା ଓ ମାଥିଲିରେ ୩ ଟି ଅଗ୍ନିଶମ ଟିମକୁ ମୁତୟନ କରାଯାଇଥିବା ବେଳେ କୋରାପୁଟରୁ ଆସିଥିବା ଗୋଟିଏ ଓଡ୍ରାଫ ଟିମକୁ ଅତି ସମ୍ବେଦନଶିଳ ଜାଗା ଶିଖପାଲ୍ଲିରେ ସଜାଗ ରଖାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details