ମାଲକାନଗିରି: ପେଟକୁ ଦାନା ଅଛି ନା ମୁଣ୍ଡ ଗୁଞ୍ଜିବାକୁ ଚାଳ । ଏଭଳି ସ୍ଥିତିରେ ପାଞ୍ଚ ପାଞ୍ଚଟି ଛୁଆଙ୍କ ଲାଳନ ପାଳନ ବୋଝ । ତେଣୁ 4 ମାସର ଜନ୍ମିତ ଶିଶୁପୁତ୍ରକୁ ବିକ୍ରି କଲେ ବାପାମାଆ । ଆଉ ଛୁଆକୁ ହରାଇବା ଦୁଃଖରେ ଭାଙ୍ଗିପଡି ଶେଷରେ ବାପା ନିଜର ଜୀବନ ହରାଇ ବସିଲା । ଦାରିଦ୍ର୍ୟତାର ଏଭଳି କରୁଣ ପରିଣତି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସପ୍ତଧାରା ଗାଁରେ । ମୃତକ ବ୍ୟକ୍ତି ହେଉଛନ୍ତି ଉକ୍ତ ଗାଁର ସମନାଥ ଖିଲ ।
ସମନାଥଙ୍କ 4ଟି ପୁଅ ଓ ଗୋଟିଏ ଝିଅ । ସେ ଓ ତାଙ୍କ ସ୍ତ୍ରୀ କୁନି ଖିଲ କୁଲି ମଜୁରୀ କରି କଷ୍ଟମଷ୍ଟେ ପରିବାର ଚଳାଉଥିଲେ । ମାତ୍ର 5ଟି ପିଲାଙ୍କ ପେଟକୁ ଦାନା ଯୋଗାଡ କରିବା ସମନାଥଙ୍କୁ ବଡ କଷ୍ଟ ହୋଇପଡିଲା । ତେଣୁ ସେ ନିଜର 4 ମାସର ଶିଶୁପୁତ୍ର ରାଜାକୁ ଶେଷରେ ବିକ୍ରି କରି କିଛି ଦିନ ପାଇଁ ଦାନା ଯୋଗାଡ କରିଥିଲେ । ହେଲେ ନିଜ ଜନ୍ମିତ ପିଲାକୁ ପର ଘରେ ବିକ୍ରି କରିବା ଚିନ୍ତାରେ ବ୍ୟକ୍ତି ଜଣକ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତ । ଏବେ 4ଟା ପିଲାଙ୍କ ବୋଝକୁ ମୁଣ୍ଡରେ ମୁଣ୍ଡେଇ ତାଙ୍କ ପତ୍ନୀ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ଏଣୁ ମହିଳା ଜଣକ ସରକାରୀ ସହାୟତା ଦାବି କରିଛନ୍ତି ।