ମାଲକାନଗିରି: ବାତ୍ୟା ‘ଫନି’ ଦୋହଲାଇ ଦେଇଛି ସାରା ରାଜ୍ୟକୁ । ବାତ୍ୟା ଯୋଗୁଁ ଅନେକ ଧନଜୀବନ କ୍ଷୟକ୍ଷତି ମଧ୍ୟ ହୋଇଛି । ଏପରି କ୍ଷେତ୍ରରେ ନେତାଙ୍କଠାରୁ ଆରମ୍ଭ କରି ଅଭିନେତା ଏବଂ ବିଦେଶରୁ ସହାୟତା ଆସୁଛି । କ୍ଷତିଗ୍ରସ୍ତ ଅଞ୍ଚଳକୁ ସୁଧାରିବା ପାଇଁ ପ୍ରୟାସ କରାଯାଉଛି । ତେବେ ମାଲକାନଗିରିର ଉପାନ୍ତ ଅଞ୍ଚଳ ତଥା ମାଓ ଅଧ୍ୟୁଷିତ ଅଞ୍ଚଳ ମଧ୍ୟ ସାହାଯ୍ୟର ହାତ ବଢାଇଛି ।
ଚଳିତ ମାସ 3 ତାରିଖରେ ମାଡି ଆସିଥିଲା ବାତ୍ୟା ‘ଫନି’ । ସେ ଫେରିଯାଇଛି ସତ ହେଲେ ଦୁଃଖ ଦୁର୍ଦ୍ଦଶାର ଦିନ ଦେଖାଇ ଯାଇଛି । ବାତ୍ୟା ଯୋଗୁଁ ବହୁ ବେରୋଜଗାର ହୋଇଛନ୍ତି ତ କେତେକ ନିଜର ବାସଗୃହ ହରାଇଛନ୍ତି । ଖାଇବା ପାଇଁ ଡହଳବିକଳ । ଚାରିଆଡେ ଦେଖାଗଲା ହାହାକାର । ପିଇବା ପାଇଁ ପାଣିଠାରୁ ଆରମ୍ଭ କରି ବିଜୁଳି କଷ୍ଟର ଚିତ୍ର ସମଗ୍ର ଦେଶ ବାସୀଙ୍କ ମନକୁ ବିଚଳିତ କରିଥିବା ବେଳେ ଉପାନ୍ତ ଜିଲ୍ଲା ମାଲକାନଗିରିରୁ ଜଣେ ସମାଜସେବୀ ବାତ୍ୟା ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି । ଆଉ ସେ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ।