ମାଲକାନଗିରି: ଆରମ୍ଭ ହୋଇଛି ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡ଼ଯାତ୍ରା । ପାରମ୍ପରିକ ରୀତିନୀତି ଅନୁସାରେ ଆନ୍ଧ୍ର ପ୍ରଦେଶର ପୋଲେରୁଠାରେ ସ୍ନାନଯାତ୍ରା ସାରି ମାଲକାନଗିରି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଠାକୁର କାନମରାଜ, ବାଲରାଜ, ପୋତରାଜ ଓ ମୁତ୍ୟାଲୁମ୍ମା । ଏହି ଯାତ୍ରା ପ୍ରତି ଦୁଇ ବର୍ଷରେ ଥରେ ପାଳନ କରାଯାଏ । ମାଲକାନଗିରି ଜିଲ୍ଲାର ମାନ୍ୟମକୋଣ୍ଡା ଠାରେ ଠାକୁରଙ୍କ ବିଗ୍ରହ ସ୍ଥାପନ କରାଯିବା ପରେ ଆନ୍ଧ୍ର ପୋଲେରୁ ଠାରେ ଠାକୁରଙ୍କୁ ନିଆଯାଇଥିଲା ସ୍ନାନ ଯାତ୍ରା କରିବା ଲାଗି । ଦୁଇଟି ନୂତନ ଡଙ୍ଗାକୁ ଏକାଠି କରି ତିନି ଠାକୁର ସିଲେରୁ ନଦୀ ପାରି ହେବା ପରେ ପହଞ୍ଚିଥିଲେ ଆନ୍ଧ୍ର ପ୍ରଦେଶର ପୋଲେରୁ ଠାରେ ଥିବା ତାଡକା କୁଣ୍ଡରେ । ସେଠାରେ ଗୁମ୍ଫା ଭିତରେ ଲୁକାୟିତ ହୋଇ ରହିଥିବା ଦେବୀ ମୁତ୍ୟାଲୁମ୍ମାଙ୍କୁ ଉପସନା କରାଯିବା ପରେ କୁଣ୍ଡରେ ଅରୁଆ ଚାଉଳର ଭୋଗ ଦିଆଯାଇଥିଲା ।
ଏନେଇ ପରେ ତିନି ଠାକୁର କାନମରାଜ, ବାଲରାଜ ଓ ପୋତରାଜ ଏହି କୁଣ୍ଡରେ ବୁଡ ପକାଇ ସ୍ନାନ କରିଥିଲେ । କିମ୍ବଦନ୍ତୀ ଅନୁଯାୟୀ ଜରାସନ୍ଧକୁ ବଦ୍ଧ କରି ଭଗବାନ ଶ୍ରୀକୃଷ୍ଣ , ଭୀମ ଓ ଅର୍ଜୁନ ଏଠାରେ ବୁଡ ପକାଇଥିଲେ । ଆଉ ସେବେ ଠାରୁ ଚାଲି ଆସିଛି ଏହି ପରମ୍ପରା । ତିନି ଠାକୁରଙ୍କ ସ୍ନାନ ଯାତ୍ରା ଶେଷ ହେବା ପରେ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ବୁଡ ପକାଇଥିଲେ ଆନ୍ଧ୍ର ପ୍ରଦେଶର ଏହି ତାଡକା କୁଣ୍ଡରେ । ଏଠାରେ ବୁଡ ପକାଇଲେ ସବୁ ପାପ ଧୋଇ ହୋଇ ପୁନ୍ୟ ଅର୍ଜନ ହୁଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି ।
ତେବେ କେଉଁ ଆଦିମ କାଳରୁ ପ୍ରଚଳିତ ଏହି ବିଶ୍ବାସ ଓ ପରମ୍ପରାକୁ ଆଧାର କରି ଆନ୍ଧ୍ର , ଓଡିଶା ଓ ଛତିଶଗଡ , ତେଲେଙ୍ଗନାର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ଏଠାରେ । ଆନ୍ଧ୍ର ପୋଲେରୁ ଠାରୁ ମାଲକାନଗିରି ପର୍ଯ୍ୟନ୍ତ ଦୀର୍ଘ ୧୦୦ କିଲୋମିଟର ରାସ୍ତା ଅତିକ୍ରମ କରିବା ସମୟରେ ବିଭିନ୍ନ ସ୍ଥାନରେ ଅଟକି ଠାକୁର ପୂଜା ପାଇଥାଆନ୍ତି । ଆନ୍ଧ୍ର, ଓଡିଶା ଓ ଛତିଶଗଡ ତିନି ରାଜ୍ୟର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ ଏହି ବଡଯାତ୍ରାରେ ।