ମାଲକାନଗିରି: ଜିଲ୍ଲାରେ ପୁଣି ଅଜଣା ରୋଗର ଆତଙ୍କ । କାଲିମେଳା ବ୍ଲକ ଅନ୍ତର୍ଗତ ତାମନପାଲ୍ଲୀ ଗାଁରେ ବ୍ୟାପୁଥିବା ଅଜଣା ଜ୍ବରକୁ ନେଇ ଆତଙ୍କ । ଗତ 15 ଦିନ ମଧ୍ୟରେ ଏହି ଅଜଣା ଜ୍ବର ନେଲାଣି 6 ନିରୀହ ଶିଶୁଙ୍କ ଜୀବନ । ସ୍ଥିତି ସଙ୍ଗୀନ ଦେଖି ଗାଁରେ ଡେରା ପକାଇଛି ଏକ ଡାକ୍ତରୀ ଦଳ । ଗୁରୁତର ଥିବା ଶିଶୁଙ୍କ ଜିଲ୍ଲା ସଦର ଚିକିତ୍ସାଳୟରେ ଚାଲିଛି ଚିକିତ୍ସା । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଗାଁରେ ପହଞ୍ଚି ବାସ୍ତବ ସ୍ଥିତି ପରଖିଛନ୍ତି ଇଟିଭି ଭାରତ ସମ୍ବାଦଦାତା । ଦେଖନ୍ତୁ ତାମନପାଲ୍ଲୀରୁ ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ...
ତାପନପାଲ୍ଲୀକୁ ଫେରିଥିବା ଏହି ଅଜଣା ଜ୍ବରରେ ଶିଶୁଙ୍କୁ ପ୍ରଥମେ ଜ୍ବର ଆସୁଛି ପରେ ମୁଣ୍ଡ ବ୍ୟଥା ଓ ବାନ୍ତି ହେଉଛି । ଆଉ ଏହା ପରେ ସବୁଦିନ ପାଇଁ ଆଖି ବୁଜୁଛନ୍ତି ରୋଗରେ ଆକ୍ରାନ୍ତ ଶିଶୁ । ତେବେ ତାଙ୍କ ପିଲାଙ୍କୁ କେଉଁ ଅଜଣା ରୋଗ ଆକ୍ରାନ୍ତ ହେଉଛି ତାହା ଭାବି ଚିନ୍ତାରେ ବାପା ମା' । ଘର ଭିତର ହେଉ କି ବାରଣ୍ଡା ସବୁ ସ୍ଥାନ ରୋଗରେ ଆକ୍ରାନ୍ତ ଶିଶୁର ପାଲଟିଛି ଶର୍ଯ୍ୟା । ଗାଁର ପ୍ରାୟ ସମସ୍ତ ଶିଶୁ ଏବେ ଏହି ରୋଗର ଶିକାର ହେଉଥିବାବେଳେ ପୁଣି ଥରେ 3 ବର୍ଷ ତଳର ଜାପାନୀ ଜ୍ବର ଫେରିଛି ଭାବି ଚିନ୍ତାରେ ଗ୍ରାମବାସୀ।