ଓଡିଶା

odisha

ETV Bharat / state

ମାଲକାନଗିରି ବନ୍ୟା ତାଣ୍ଡବ; ସ୍ଥିତି ପରଖିଲା ‘ଇଟିଭି ଭାରତ’

ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବନ୍ୟା । ମାଥିଲି, କୋରୁକୋଣ୍ଡା, ପଡିଆ ଓ କାଲିମେଳା ବ୍ଲକର ପ୍ରାୟ ୪୦ ଟି ଗାଁ ବନ୍ୟାରେ କ୍ଷତିଗ୍ରସ୍ତ । ବିଡିଓ ଓ ତହସିଲଦାରଙ୍କ ରିପୋର୍ଟ ଆସିବା ପରେ ଦିଆଯିବ କ୍ଷତିପୂରଣ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Aug 4, 2019, 5:47 PM IST

Updated : Aug 4, 2019, 6:09 PM IST

ମାଲକାନଗିରି : ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବନ୍ୟା । ମାଥିଲି, କୋରୁକୋଣ୍ଡା, ପଡିଆ ଓ କାଲିମେଳା ବ୍ଲକର ପ୍ରାୟ ୪୦ ଟି ଗାଁ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ଶତାଧିକ ଲୋକଙ୍କ ଘରଦ୍ବାର ଭାଙ୍ଗି ଯାଇଛି । ଶହ ଶହ ଏକର ଧାନ ଫସଲ ବାଲିଚର ହୋଇଛି । ବନ୍ୟା ଫଳରେ ଲୋକେ ପିଲା ଛୁଆଙ୍କୁ ନେଇ ବନ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବାବେଳେ ସେଠାକାର ପରିସ୍ଥିତି କିପରି ଅଛି ସେନେଇ ବାସ୍ତବ ସ୍ଥିତି ପରଖିଛନ୍ତି ଇଟିଭି ଭାରତ ସମ୍ବାଦଦାତା ଜୟନ୍ତ ତିଆଡି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଜିଲ୍ଲାରେ ବର୍ଷା କମିଛି ହେଲେ ବନ୍ୟା ବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶା ବଢିଛି । ତିନି ଦିନର ଲଗାଣ ବର୍ଷାରେ ପରିସ୍ଥିତି ସଙ୍ଗୀନ ହୋଇଛି । ଅଚାନକ ବନ୍ୟା ପାଣି ଘରେ ପଶିଥିବାବେଳେ ଲୋକେ ଜୀବନ ବଞ୍ଚାଇବା ଲାଗି ଘରଦ୍ବାର ଛାଡି ବନ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିଲେ । ତେବେ ପାଣି କମିବା ପରେ ଲୋକେମାନେ ନିଜ ଭିଟାମାଟି ଖୋଜି ପାଉନାହାନ୍ତି । ବିପନ୍ନଙ୍କର ଘର, ଫସଲ ସବୁକିଛି କ୍ଷତିଗ୍ରସ୍ତ ହୋଇଥିବାବେଳେ କୌଣସି ସହାୟତା ସେମାନଙ୍କ ପାଖରେ ପହଞ୍ଚିନାହିଁ ।

ପ୍ରଶାସନ କେବଳ ଆଶ୍ରୟସ୍ଥଳୀରେ ଦୁଇ ବେଳା ରନ୍ଧା ଖାଦ୍ୟ ଦେଇ ନିଜର କର୍ତ୍ତବ୍ୟ ଶେଷ କରିଥିବା ଦେଖିବାକୁ ମିଳିଛି । ପ୍ରଥମେ ଖରାରେ ଜମି ଫାଟି ଆଁ କରିଥିବାବେଳେ ଏବେ ବନ୍ୟାରେ ଧାନ ଜମି ବାଲିଚର ହୋଇଯାଇଛି । ଫଳରେ ବ୍ୟାଙ୍କରୁ ଋଣ ନେଇ ଚାଷ କାମ କରିଥିବା ଚାଷୀ ଏବେ କିପରି ଋଣ ସୁଝିବେ ସେନେଇ ଚିନ୍ତାରେ ।

ସେପଟେ କ୍ଷୟକ୍ଷତିର ଆକଳନ ପାଇଁ ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ପ୍ରଶାାସନ କହିଛି । ଏହା ସହ ରିପୋର୍ଟ ଆସିବା ପରେ ଲୋକଙ୍କୁ କ୍ଷତିପୂରଣ ଦିଆଯିବ । ଏହା ସହ ପାଣିପାଗ ବିଭାଗ ଆଜି ଠାରୁ ମାଲକାନଗିରି ଜିଲ୍ଲାକୁ ରେଡ ଆଲର୍ଟ ଘୋଷଣା କରିଥିବାରୁ ପୋଲିସ ଓ ଓଡ୍ରାଫ ଟିମ୍‌କୁ ଆଲର୍ଟ ରଖାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡିଛି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Last Updated : Aug 4, 2019, 6:09 PM IST

ABOUT THE AUTHOR

...view details