ମାଲକାନଗିରି: ବିଛିନ୍ନାଞ୍ଚଳରେ ହେବ ନିର୍ବାଚନ । ଦୀର୍ଘ 10 ବର୍ଷ ବ୍ୟବଧାନ ପରେ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହାକୁ ନେଇ ବିଛିନ୍ନାଞ୍ଚଳ ବା ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ ପ୍ରତିଦ୍ବନ୍ଦୀ ଓ ଭୋଟରଙ୍କ ମନରେ ଖୁସିର ମାହୋଲ୍ ଦେଖାଦେଇଛି । ଜିଲ୍ଲାର ବିଛିନ୍ନାଞ୍ଚଳରେ ଦିନେ ମାଓବାଦୀଙ୍କ କବଜାରେ ଥିଲା । ମାଓ ଭୟରେ ଥରିଉଠୁଲା ସାରା ଅଞ୍ଚଳ । ଭୟର ବାତାବରଣରେ ଦିନ କାଟୁଥିଲେ 151 ଟି ଗାଁର ଲୋକ। ଯାହା ଫଳରେ ଏହି ଅଞ୍ଚଳରେ କୌଣସି ନିର୍ବାଚନ ହୋଇପାରିନାହିଁ ।
Panchayat election: 10 ବର୍ଷ ପରେ ମାଓଗଡ ସ୍ବାଭିମାନ ଅଞ୍ଚଳରେ ହେବ ନିର୍ବାଚନ ନିର୍ବାଚନରେ ଭାଗନେଲେ କିମ୍ବା ଭୋଟ ଦେଲେ ପ୍ରଜାକୋର୍ଟରେ ମିଳୁଥିଲା ମୃତ୍ୟୁ ଦଣ୍ଡ । ନଚେତ୍ ଗାଁ ଛାଡି ଚାଲିଯିବାକୁ ଦେଉଥିଲେ ଚେତାବନୀ। କିଛି ଗ୍ରାମବାସୀ ମାଓବାଦୀଙ୍କ ଭୟରେ ଗାଁ ଛାଡି ଅନ୍ୟତ୍ର ବି ଚାଲିଯାଇଛନ୍ତି । ଫଳରେ ଜନସାଧାରଣ ବାଛିପାରୁ ନଥିଲେ ଲୋକପ୍ରତିନିଧି । ଏତେ ଦିନ ବ୍ୟବଧାନରେ ଏବେ ନିର୍ବାଚନ ଆସିଥିବାରୁ ଲୋକଙ୍କ ମନରେ ନାହିଁ ନଥିବା ଖୁସି । ବର୍ତମାନ ସୁଧା ଏହି ଅଞ୍ଚଳରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରତିନିଧି ପ୍ରଚାର ପ୍ରସାର ସେତେ ମାତ୍ରାର କରୁନଥିଲେ ମଧ୍ଯ ଲୋକମାନଙ୍କ ପାଖରେ ପହଞ୍ଚି ଭୋଟଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଆଉ କିଛି ଦିନ ମଧ୍ଯରେ ସାରା ଅଞ୍ଚଳରେ ନିର୍ବାଚନ ପୋଷ୍ଟର ବ୍ୟାନର୍ ଦେଖିବାକୁ ମିଳିବ। ପୂର୍ବରୁ ଏହି ଅଞ୍ଚଳରେ ମାଓବାଦୀଙ୍କ ଭୋଟ ବର୍ଜନ ପୋଷ୍ଟର ବ୍ୟାନର୍ ଦେଖିବାକୁ ମିଳିଥିଲା।
ଗୁରୁପ୍ରିୟା ସେତୁ ହେବା ପରେ ବିଛିନ୍ନାଞ୍ଚଳରେ ବିଏସଏଫ କ୍ୟାମ୍ପ ଓ ଥାନା ଗଢି ଉଠିବା ଫଳରେ ଉନ୍ନୟନ ମୁଳକ କାର୍ଯ୍ୟ ଅଗ୍ରଗତି ହୋଇଛି । ଏହା ପରେ ବିଛିନ୍ନାଞ୍ଚଳରୁ ବର୍ତ୍ତମାନ ସ୍ବାଭିମାନ ଅଞ୍ଚଳବାସୀ ଭାବେ ପରିଚିତ ହୋଇଛନ୍ତି। ବର୍ତ୍ତମାନର ସୁରକ୍ଷାକୁ ଦେଖି ଗାଁ ଛାଡି ଅନ୍ୟତ୍ର ଚାଲିଯାଇଥିବା ଲୋକ ମାନେ ଘର ବାହୁଡା ହୋଇ ଭୋଟ ଦେଇ ନିଜ ଇଛାରେ ପ୍ରତିନିଧି ବାଛିବେ କହିଛନ୍ତି ଭୋଟର୍ । ଚିତ୍ରକଣ୍ଡା ବ୍ଲକରେ ଜିଲ୍ଲାପରିଷଦ ସଭ୍ୟ, ସମିତିସଭ୍ଯ, ସରପଞ୍ଚ ଓ ୱାର୍ଡମେମ୍ବର ପାଇଁ ପାଖା ପାଖି 300 ପ୍ରାର୍ଥୀ ନିର୍ବାଚନରେ ଭାଗନେଇଛନ୍ତି । ସେପଟେ BSF ଓ ପୋଲିସ୍ ସହ ଆଲୋଚନା କରି କିଭଳି 200(ଦୁଇସହ) ବୁଥରେ ସୂରୁଖୁରୁରେ ନିର୍ବାଚନ କରାଯିବ ସେଥିଲାଗି ଧ୍ୟାନ ଦିଆଯିବ ବୋଲି ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂହ କହିଛନ୍ତି ।
2016 ପୂର୍ବରୁ ବିଭିନ୍ନାଅଞ୍ଚଳର 6ଟି ପଞ୍ଚାୟତ କୁଡୁମୁଲୁଗୁମ୍ମା ବ୍ଲକରେ ଥିଲା ବର୍ତ୍ତମାନ କୁଡୁମୁଲୁଗୁମ୍ମା ବ୍ଲକକୁ ଉଛେଦ କରି ନୂତନ ଭାବେ ଚିତ୍ରକୁଣ୍ଡା ବ୍ଲକ କରାଯାଇଛି । ଏହି ସବୁ 6 ଟି ପଞ୍ଚାୟତକୁ 8 ଟି ପଞ୍ଚାୟତ କରି ଚିତ୍ରକୁଣ୍ଡା ବ୍ଲକରେ ମିଶାର ସ୍ବାଭିମାନ ଅଞ୍ଚଳରୂପେ ପରିଚିତ କରାଯାଇଛି । ତେବେ ସ୍ବାଭିମାନ ଅଞ୍ଚଳରେ ଥିବା ପଞ୍ଚାୟତ ଗୁଡିକ ହେଲା ପଣସପୁଟ,ଅଣ୍ଡରାପାଲି,ଜୋଡାଆମ୍ବ,ପାପରମେଟାଲ,ବଡପଡା,ରାଲେଗଡା,ଧୂଳିପୁଟ ଓ ଜନ୍ତ୍ରୀ ପଞ୍ଚାୟତ ରହିଛି। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିକାଶ ଧାରାରେ ଯୋଡି ହୋଇଛି ସ୍ବାଭିମାନ ଅଞ୍ଚଳ। ତେବେ ଆସନ୍ତା ୨୪ ତାରିଖରେ ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ। ପଞ୍ଚାୟତ ନିର୍ବାଚନରେ ନିଜ ମତଦାନ ସାବ୍ୟସ୍ତ ପାଇଁ ବେଶ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି ବିଛିନ୍ନାଞ୍ଚଳବାସୀ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ