ମାଲାକାନଗିରି: ଅଧାରୁ ପାଠ ଛାଡି ଥିବା ପିଲାଙ୍କୁ ଶିକ୍ଷିତ କରାଯିବ । ପୁଣି ବିଦ୍ୟାଳୟରେ ନାମ ଲେଖାଇ ପାଠ ପଠାଯିବ । ହଷ୍ଟେଲରେ ରହିବେ ଓ ସରକାରୀ ବିଦ୍ୟାଳୟ ପାଠ ପଢ଼ିବେ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଏଭଳି କିଛି ସରକାରଙ୍କ ଯୋଜନା ମାଲକାନଗିରିରେ ଦେଖିବାକୁ ମିଳିଥିଲା । ହେଲେ ବର୍ତ୍ତମାନ ହଷ୍ଟେଲରେ ତାଲା ଝୁଲୁଛି । ହଷ୍ଟେଲ ଖୋଲିବା ସହ ପାଠ ପଢ଼ାଇବା ପାଇଁ ବହୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି ।
ସୂଚନାଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ୧୪ ରୁ ୧୬ ବର୍ଷ ମଧ୍ୟରେ ଥିବା ଡ୍ରପଆଉଟ ଛାତ୍ରଛାତ୍ରୀଙ୍କୁ ପୁନଃ ଶିକ୍ଷାଦାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ସେମାନଙ୍କୁ ନବମ ଓ ଦଶମ ଶ୍ରେଣୀରେ ପାଠ ପଢ଼ାଇ ଶିକ୍ଷିତ କରିବା ପାଇଁ ଷ୍ଟାର ଯୋଜନା କରିଥିଲେ। ଏନେଇ ମାଲକାନଗିରି ଜିଲ୍ଲାର କେରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୦ଟି ସିଟ୍ ବିଶିଷ୍ଟ ଛାତ୍ରାବାସ ଓ ମାଥିଲି ବ୍ଲକ ଅନ୍ତର୍ଗତ ଅଁଳାପଦର ସରକାରୀ ନୂତନ ବାପୁଜୀ ଉଚ୍ଚ ବିଦ୍ୟାଳୟରେ ୫୦ ସିଟ୍ ବିଶିଷ୍ଟ ଛାତ୍ରୀନିବାସ ଖୋଲାଯାଇଥିଲା ।
ଏହାପରେ ଶିକ୍ଷା ବିଭାଗ କର୍ମଚାରୀ ଦ୍ବାରା ଜିଲ୍ଲାର ୭ଟି ବ୍ଲକରୁ ଅଷ୍ଟମ ଶ୍ରେଣୀ ପରେ ପାଠ ଛାଡିଦେଇଥିବା ପିଲାମାନଙ୍କୁ ଖୋଜିବା ଆରମ୍ଭ ହୋଇଥିଲା । ଏହାପରେ ୫୦ ଜଣ ଛାତ୍ର ଓ ୫୦ ଜଣ ଛାତ୍ରୀକୁ ଦୁଇଟି ହଷ୍ଟେଲରେ ରଖି ସେହି ବିଦ୍ୟାଳୟରେ ହିଁ ପାଠ ପଢ଼ାଯାଉଥିଲା । ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ଓ ପୋଷାକ ଓ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିଲା । ଗତବର୍ଷ ୧୦୦ ଜଣ ଛାତ୍ରଛାତ୍ରୀ ନବମ ଶ୍ରେଣୀରେ ପାଠ ପଢ଼ିଥିଲେ । ହେଲେ ଚଳିତବର୍ଷ ମେ ମାସରେ ଗ୍ରୀଷ୍ମ ଛୁଟି ହେବା ପରେ ପିଲାମାନେ ଘରକୁ ଯାଇ ଫେରିବା ବେଳକୁ ହଷ୍ଟେଲ ବନ୍ଦ ପଡିଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି ।
ଏହାମଧ୍ୟ ପଢନ୍ତୁ..ଜୋର ଧରିଲା ଜିଲ୍ଲା ମାନ୍ୟତା ଦାବି, ୧୨ ଘଣ୍ଟିଆ ଧର୍ମଗଡ ବନ୍ଦ ପାଳନ