ମାଲକାନଗିରି: ଜିଲ୍ଲାର ବଣ୍ଡାଘାଟିରେ ମଙ୍ଗଳବାର ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ ଗସ୍ତ କରି ଲୋକଙ୍କୁ ସାମାଜିକ ସୁରକ୍ଷା ବ୍ୟବସ୍ଥା ଉପରେ ସଚେତନ କରାଇବା ସହିତ ବଣ୍ଡାଘାଟିରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ନିକଟରେ ସରକାରଙ୍କର ବିଭିନ୍ନ ଯୋଜନା ପହଞ୍ଚିପାରୁଥିବା ନେଇ କମିଶନର ସୁଲୋଚନା ଦାସ ଖୁସି ଜାହିର କରିଛନ୍ତି ।
ବଣ୍ଡାଘାଟିରେ ରାଜ୍ୟ ଭିନ୍ନକ୍ଷମ କମିଶନର, ସାମାଜିକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ କଲେ ସଚେତନ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା କିଛି ବଣ୍ଡାଙ୍କୁ ଭତ୍ତା ଓ ଟ୍ରାଇ ସାଇକେଲ ପ୍ରଦାନ କରିବା ସହ ଜିଲ୍ଲାରେ ସବୁଠାରୁ କମ୍ ଭିନ୍ନକ୍ଷମ କେସ ରେଜିଷ୍ଟ୍ରେସନ ହୋଇଥିବା ନେଇ ମଧ୍ୟ ଖୁସି ଜାହିର କରିଥିଲେ। ସରକାରୀ କର୍ମଚାରୀ ଓ ସ୍ବେଚ୍ଛାସେବୀ ସଂସ୍ଥାମାନେ ଏଠାକୁ ଆସି ଲୋକଙ୍କୁ ସଚେତନ କରାଉଥିବାରୁ ସେମାନଙ୍କୁ ସେ ଧନ୍ୟବାଦ ଦେଇଥିଲେ।
ତେବେ ବଣ୍ଡାଘାଟି ଭଳି ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସଚେତନ କଲେ ହିଁ ଏହି କାର୍ଯ୍ୟକ୍ରମ ସଫଳ ହେବ ବୋଲି ସେ କହିଥିଲେ। ସମାଜିକ ସୁରକ୍ଷା ବିଭାଗ ତରଫରୁ ପ୍ରଦାନ କରାଯାଉଥିବା ବହୁ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ତେଣୁ ଏହି ଅଞ୍ଚଳରେ ଅଧିକରୁ ଅଧିକ ଜନ ସଚେତନ କରିବା ନେଇ ସେ ଗୁରୁତ୍ବାରୋପ କରିଥିଲେ।
ବଣ୍ଡାଘାଟିର ଲୋକମାନେ ଭିନ୍ନକ୍ଷମ କ୍ୟାମ୍ପ କରିବା ପାଇଁ ଦାବି କରିଥିଲେ। ଏହି ଦାବିକୁ ସୁଲୋଚନା ତୁରନ୍ତ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ବୁଧବାର ସ୍ବାଭିମାନ ଅଞ୍ଚଳ ଗସ୍ତ କରି ସେଠାରେ ମଧ୍ୟ ସାମାଜିକ ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରାଇବେ ବୋଲି ସେ ପ୍ରସ୍ତୁତ କହିଛନ୍ତି। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ସାମାଜିକ ସୁରକ୍ଷା ଅଧିକାରୀ ରାଧାମଣି ଦଳାଇ, ଏସ୍ଡିପିଓ ସୁନାରାମ ହେମ୍ବ୍ରମ, ବିଡ଼ିଓ ହୃଦାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ