ମାଲକାନଗିରି: ମିଳିଲାନି ମହାପ୍ରୟାଣ ଗାଡି କି ଆମ୍ବୁଲାନ୍ସ । ପୁଣି ମୋଟର ସାଇକେଲରେ ବୁହାହେଲା ମୃତଦେହ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ ।
ମାଲକାନଗିରିରେ ଅଭାବନୀୟ ଚିତ୍ର :ଆମ୍ବୁଲାନ୍ସ ନ ମିଳିବାରୁ ବାଇକରେ ବୁହା ହେଲା ମୃତଦେହ ସୂଚନା ଅନୁସାରେ, ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ସିନ୍ଧ୍ରିମାଳ ପଞ୍ଚାୟତର ତୋଙ୍ଗଗୁଡା ଗାଁର ଇର୍ମା ମାଢିଙ୍କ ୪ ବର୍ଷର ଝିଅ ରଶ୍ମିତା ଅସୁସ୍ଥ ହୋଇପଡିଥିଲେ । ପରେ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା ।
ମୃତଦେହକୁ ଶ୍ମଶାନ କି ଘରକୁ ଆଣିବା ପାଇଁ ସରକାରଙ୍କ ନିୟମ ଅନୁଯାୟୀ ମହାପ୍ରୟାଣ ଗାଡିର ବ୍ୟବସ୍ଥା କରାଯାଇଛି । ହେଲେ ଏଥିପାଇଁ କିଲୋମିଟର ପିଚ୍ଛା ୧୩ ଟଙ୍କା ହିସାବରେ ଟଙ୍କା ପୈଠ କରିବାକୁ ପଡେ । ମୃତଦେହ ବାହକ ଭଡା ମାତ୍ର ପାଞ୍ଚ ଶହ ଦେଇ ନ ପାରି ଇର୍ମା ମାଢି ତାଙ୍କ ଝିଅର ମୃତଦେହକୁ ଏପରି ଭାବେ ଦୀର୍ଘ ୧୫ କିଲୋମିଟର ମୋଟର ସାଇକେଲରେ ବୋହି ନେଇଥିବା କଥା କହିଛନ୍ତି ।
ହେଲେ ଏହି ଘଟଣାକୁ ନେଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ମହାପ୍ରୟାଣ ଗାଡି ବଦଳରେ ମୋଟର ସାଇକେଲ ଯୋଗେ ମୃତ ଦେହ ନେବା ଲାଗି ପରିବାର ଲୋକେ କହିଥିଲେ । ଏମିତିକି ମେଡିକାଲ ଅଧିକାରୀ ଏଥିପାଇଁ ରାଜି ନ ହେବାରୁ ମୃତଦେହକୁ ମୋଟର ସାଇକେଲ ଯୋଗେ ଘରକୁ ନେଇଥିଲେ ପରିବାର ଲୋକେ ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ