ମାଲକାନଗିରି:ଶ୍ମଶାନ ଏକ ପବିତ୍ର ସ୍ଥାନ । ଯେଉଁଠି ମୃତ୍ୟୁ ପରେ ପଞ୍ଚଭୂତରେ ଲୀନ ହୋଇଥାଏ ମରଶରୀର । ଶ୍ମଶାନରେ ସୁସ୍ଥ ପରିବେଶ ସୃଷ୍ଟି କରିବାପାଇଁ ସରକାରଙ୍କ ତରଫରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥାଏ, କିନ୍ତୁ ଏହି ସ୍ବର୍ଗଦ୍ବାର ଏବେ ପାଲଟିଛି ଡମ୍ପିଂୟାର୍ଡ । ମାଲକାନଗିରି ସହରରେ ଶ୍ମଶାନରେ ଭର୍ତ୍ତି ହୋଇଛି କୁଢକୁଢ ଅଳିଆ । ଯୁଆଡେ ଚାହିଁବେ ସିଆଡେ ପଚାସଢା ଜିନିଷ ଓ ଅଦରକାରୀ ବର୍ଯ୍ୟବସ୍ତୁ ଗଦା ହୋଇରହିଛି । ଏପରି ଦୃଶ୍ୟ ଦେଖିଲେ ଲାଗୁଛି ଯେମିତି ଏହା ଶ୍ମଶାନ ନୁହଁ ବରଂ ଡମ୍ପିଂୟାର୍ଡ ।
ସହରରେ ଥିବା ଶ୍ମଶାନ ଏବେ ଯେମିତି କୋମାକୁ ଚାଲିଗଲା ଭଳି ମନେ ହେଉଛି । ଶ୍ମଶାନରେ ମୃତଦେହ ଦାହ ପରିବର୍ତ୍ତେ ଅବର୍ଜାନା ଗୁଡିକୁ ଠୁଳ କରାଯାଉଛି । ଫଳରେ ଏଠାକୁ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଲି ଏତିକି ନୁହେଁ ଗୋଟିଏ ଛାତ ତଳେ ଦୁଇଟି ମରଶରୀର ଦାହ ପାଇଁ ସ୍ଥାନ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସେଥି ମଧ୍ୟରୁ ଗୋଟିଏ ସମ୍ପୂର୍ଣ୍ଣଭାବେ ଭାଙ୍ଗିଯାଇଥିବା ବେଳେ ଅନ୍ୟଟି ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଛି ।