ମାଲକାନଗିରି: ପଡିଆ ବ୍ଲକରେ MGNREGSରେ ମହାଦୁର୍ନୀତି ଅଭିଯୋଗ । ଏମଜିଏନଆରଜିଏସର(MGNREGS) ସାମାଜିକ ସୁରକ୍ଷା ତଥା ଜନଶୁଣାଣୀ ବେଳେ ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକରେ ବଡଧରଣର ଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି । ସୋସିଆଲ ଅଡିଟ ରିପୋର୍ଟ ଅନୁଯାୟୀ ଏମଜିଏନଆରଜିଏସରେ ଲକ୍ଷାଧିକ ଟଙ୍କା ବାଟମାରଣା ହୋଇଥିବା ବେଳେ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ଉଠାଇ ଆତ୍ମସାତ କରି ଦିଆଯାଇଛି । ପଡ଼ିଆ ବ୍ଲକରେ ଆୟୋଜିତ ସାମାଜିକ ସମୀକ୍ଷା ବେଳେ ଏହି ତଥ୍ୟ ପଦାକୁ ଆସିଛି ।
ସମନ୍ବିତ ଆଦିବାସୀ ଉନ୍ନୟନ ବିଭାଗ ତରଫରୁ ପଡିଆ ବ୍ଲକର ସିମିଳିବାଞ୍ଝା ପଞ୍ଚାୟତର ଭାଲମପାଲୀ ଗ୍ରାମର ଦୁଇଟି ସ୍ଥାନରେ କାଜୁ ଗଛ ଲଗାଯାଇଥିଲା । ସେଥିମଧ୍ୟରୁ ଗୋଟିଏ ସ୍ଥାନରେ ୧୪ ଏକର ଜାଗାରେ ଏବଂ ଅନ୍ୟ ସ୍ଥାନରେ ୧୬ ଏକର ଜାଗାରେ ମୋଟ ୩୦ ଏକର ଜାଗାରେ କାଜୁ ଗଛ ଲଗାଯାଇଥିଲା । ତେବେ ୧୪ ଏକର ଜାଗାରେ ମୋଟ ଶ୍ରମ ବାବଦକୁ ୧୭ ଲକ୍ଷ ୨ ହଜାର ଏବଂ କଞ୍ଚାମାଲ ବାବଦକୁ ୧୧ ଲକ୍ଷ ୫୪ ହଜାର ଏପରି ମୋଟ ୨୮ ଲକ୍ଷ ୫୬ ହଜାର ଟଙ୍କା ଖର୍ଚ୍ଚ ହେବାର ବ୍ୟବସ୍ଥା ରହିଥିଲା । କିନ୍ତୁ ସଂସ୍ଥା ପକ୍ଷରୁ ଏହି କାର୍ଯ୍ୟ କରୁଥିବା ସଂପୃକ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶ୍ରମ ବାବଦକୁ ୪ ଲକ୍ଷ ୩୪ ହଜାର ୩୦୦ ଏବଂ କଞ୍ଚାମାଲ ବାବଦକୁ ୯ ଲକ୍ଷ ୯୩ ହଜାର ୨୫୭, ମୋଟରେ ୧୪ ଲକ୍ଷ ୨୭ ହଜାର ୫୫୭ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି ।
ସେହିପରି ୧୬ ହେକ୍ଟର ଜମିରେ ଶ୍ରମ ବାବଦକୁ ୧୬ ଲକ୍ଷ ୧୨ ହଜାର ୬୦୦ ଏବଂ କଞ୍ଚାମାଲ ବାବଦକୁ ୧୦ ଲକ୍ଷ ୯୩ ହଜାର ୫୦୦ ଖର୍ଚ୍ଚ କରାଯିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ସଂପୃକ୍ତ ବିଭାଗ ଶ୍ରମ ବାବଦକୁ ୬ ଲକ୍ଷ ୧୯ ହଜାର ୬୩୦ ଟଙ୍କା ଏବଂ କଞ୍ଚାମାଲ ବାବଦକୁ ୯ ଲକ୍ଷ ୪୧ ହଜାର ୮୮ ଟଙ୍କା ଖର୍ଚ୍ଚ କରିଛି। ତେବେ ମୋଟରେ ୨୭ ଲକ୍ଷ ୬ ହଜାର ୧୦୦ ଟଙ୍କା ଖର୍ଚ୍ଚ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ବିଭାଗ ୧୫ ଲକ୍ଷ ୬ ହଜାର ୭୧୮ ଟଙ୍କା ଖର୍ଚ୍ଚ କରିଛି । ତେବେ ୧୪ ହେକ୍ଟର ଜମିରେ କିଛି ଗଛ ରହିଥିବା ବେଳେ ୧୬ ହେକ୍ଟର ଜମିରେ ଆଦୌ କାଜୁ ଗଛ ନଥିବା ଦେଖିବାକୁ ମିଳିଛି, ଯାହା ସୂଚାଇ ଦେଉଛି ଯେ ଏଥିରେ ଗଛ ନଲଗାଇ ଲକ୍ଷାଧିକ ଟଙ୍କା ଚଳୁ କରାଯାଇଛି ।
ସେହିପରି ଭତ୍ତା ଟଙ୍କା ମଧ୍ୟ ହଡପ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ୫୩ ଜଣ ମୃତ ହିତାଧିକାରୀଙ୍କ ନାମରେ ଗତ ଏକ ବର୍ଷ ହେଲା ଟଙ୍କା ଉଠାଇ ଆତ୍ମସାତ କରାଯାଉଛି । ସେମାନଙ୍କ ମଧ୍ୟରୁ ଉଣ୍ଡରୁକୋଣ୍ଡା ଗ୍ରାମର ଭୀମା ମାଡକାମୀ ଗତ ୨୦୨୧ ଡିସେମ୍ବର ୧୨ ତାରିଖ ଦିନ ମୃତ୍ୟୁ ବରଣ କରିଥିବା ବେଳେ ଏଯାଏଁ ତାଙ୍କର ଭତ୍ତା ଉଠାଣ ଚାଲିଛି ।
ଗ୍ରାମର ଗଙ୍ଗା ମାଡକାମୀ ଚଳିତ ବର୍ଷ ଏପ୍ରିଲ ମାସରେ ମୃତ୍ୟୁବରଣ କରିଛନ୍ତି , ତାଙ୍କ ନାଁରେ ମଧ୍ୟ ଟଙ୍କା ଆସୁଛି । ଏଭଳି ୫୩ ଜଣ ମୃତ ବ୍ୟକ୍ତି ନାମରେ ଭତ୍ତା ଟଙ୍କା ଉଠାଇ ନେଉଥିବା ସାମାଜିକ ସମୀକ୍ଷା ବୈଠକରେ ଏନେଇ ଆଲୋଚନା କରାଯାଇଥିଲା । ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମଧ୍ୟ ଲକ୍ଷାଧିକ ଟଙ୍କା ହଡପ କରାଯାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଥିଲା । ଏହି ଯୋଜନାର ଅନ୍ତର୍ଭୁକ୍ତ ଥିବା ମୋ ପଖୋରୀ ଯୋଜନା, ଚାଷ ଜମି ସମତଳ ଯୋଜନା, ବୃକ୍ଷରୋପଣ ଭଳି ବିଭିନ୍ନ ଯୋଜନାରେ ମିଥ୍ୟା ରିପୋର୍ଟ ପ୍ରକାଶ କରି ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି ।