ମାଲକାନଗିରି:ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ଗୋରାସେତୁରେ ବିଏସଏଫ ପକ୍ଷରୁ ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇଥିଲା । ନକ୍ସଲ ପଥକୁ ଅନୁସରଣ ନକରି ଲୋକଙ୍କୁ କିପରି ମୁଖ୍ୟସ୍ରୋତରେ ସାମିଲ କରାଯିବ ସେନେଇ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା ।
ଏହି କାର୍ଯ୍ୟକ୍ରମକୁ ବିଏସଏଫର ୯ ବାଟାଲିୟନର କମାଣ୍ଡାଣ୍ଟ ସଂଜୟ କୁମାର ଦାସ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ବିଜୟ କଚ୍ଛପ, ଡେପୁଟି କମାଣ୍ଡାଣ୍ଟ ସୁଭଞ୍ଜନ ମହାପାତ୍ର ସମେତ ଭୁବନେଶ୍ବରରୁ ଆସିଥିବା ଛପନ ଭୋଗର ସତ୍ୟବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ । ଏଥିରେ ଗୋରାସେତୁ ଗ୍ରାମ ସମେତ ପଣସପୁଟ, ପଲସପଦର, ଘୁସୁମପଦର,ଲାଉଗୁଡା ବେଜିଂ, ସିନ୍ଧିପୁଟ, ଯଡାମ୍ବ ସମେତ ବହୁ ଗ୍ରାମର ପ୍ରାୟ ୧୫ ଶହରୁ ଊର୍ଦ୍ଧ୍ବ ମହିଳା ପୁରୁଷ ଏକତ୍ରିତ ହୋଇଥିଲେ । ଆୟୋଜିତ ଏକ ସାଧାରଣ ସଭାରେ ଉପସ୍ଥିତ ଅତିଥିମାନେ ଏହି ଅଞ୍ଚଳର ବିକାଶ ନେଇ ଆଲୋଚନା କରିଥିଲେ । ସାଧାରଣ ଲୋକେ ନକ୍ସଲ ପଥ ଅନୁସରଣ ନକରି ମୁଖ୍ୟସ୍ରୋତରେ ସାମିଲ ହୋଇ କିପରି ନିଜ ଜୀବନକୁ ସୁଖ ସମୃଦ୍ଧିରେ ଭରିଦେବେ ସେନେଇ ପରାମର୍ଶ ଦିଆଯାଇଥିଲା ।