ଓଡିଶା

odisha

ETV Bharat / state

ସ୍ବାଭିମାନ ଅଞ୍ଚଳର ଶିଶୁ ଖାଉଛି ପଚା ଅଣ୍ଡା, ପୋକରା ଚାଉଳ - food

ସାମ୍ନାକୁ ଆସିଲା ଅଙ୍ଗନବାଡ଼ି ଦିଦିଙ୍କ ଦାଦାଗିରିର ଚିତ୍ର । ପଦାରେ ପଡିଲା ସରକାରଙ୍କ ପାରିବା ପଣିଆ । ଦେଖନ୍ତୁ ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ଇଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Jun 19, 2019, 7:47 PM IST

ମାଲକାନଗିରି: ଜିଲ୍ଲାର ବିଛିନ୍ନାଞ୍ଚଳକୁ ସରକାର ନୂଆ ନାଁ ଦେଲେ ‘ସ୍ବାଭିମାନ ଅଞ୍ଚଳ’ । ହେଲେ ସ୍ଥାନୀୟ ଲୋକଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ । ଏପରିକି ଅଙ୍ଗନବାଡ଼ି କେନ୍ଦ୍ରରେ ଉପଲବ୍ଧ ପୁଷ୍ଟିକର ଖାଦ୍ୟ ଟିକକ ପାଉନାହିଁ ସ୍ବାଭିମାନ ଅଞ୍ଚଳର ଶିଶୁ । ସରକାର ତ ଯୋଗାଉଛନ୍ତି ହେଲେ ଦେବାରେ ଅବହେଳା କରୁଛନ୍ତି ଅଙ୍ଗନବାଡ଼ି ଦିଦି । ମୁହଁଖୋଲି କହିଲେ ନକ୍ସଲଙ୍କ ନାଁ ନେଇ ଧମକ ଚମକ ଦେଉଛନ୍ତି । ଚିତ୍ରକୋଣ୍ଡା ବ୍ଲକ ବଡ଼ପଡ଼ା ପଞ୍ଚାୟତର ବାଲିଗୁମ୍ମା ଗାଁରେ ଏଭଲି ଚିତ୍ର ସାମ୍ନାକୁ ଆସିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପ୍ରତି ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରମାନ ଖୋଲାଯାଇଛି । ଉଦ୍ଦେଶ୍ୟ ହେଲା ଶିଶୁମାନଙ୍କୁ ପ୍ରାକଶିକ୍ଷା ଏବଂ ପୁଷ୍ଟିକର ଖାଦ୍ୟ ପ୍ରଦାନ କରିବା । ନିୟମିତ ଭାବେ କେନ୍ଦ୍ରମାନଙ୍କୁ ଚାଉଳ, ଡାଲି, ଛତୁଆ ଏବଂ ଅଣ୍ଡା ଇତ୍ୟାଦି ପ୍ରଦାନ କରାଯାଉଛି । ତେବେ ଦାୟିତ୍ବରେ ଥିବା ଦିଦି ସବୁ ଚଳୁ କରିଦେଉଛନ୍ତି । ଯାହାର ଉଦାହରଣ ହେଉଛି ବାଲିଗୁମ୍ମା ଗାଁ ।

ଅଙ୍ଗନବାଡ଼ି କେନ୍ଦ୍ରରେ ଦିଦିଙ୍କ ପ୍ରାୟତଃ ଦେଖା ମିଳେନାହିଁ । କାଁ ଭାଁ ସପ୍ତାହ ଦୁଇ ସପ୍ତାହରେ ଥରେ ଆସନ୍ତି । ଛୁଆଙ୍କୁ ପଢ଼ାଇବା କି ଭଲମନ୍ଦ ବୁଝିବା ବହୁ ଦୂରରେ । କେବଳ ସହାୟିକାଙ୍କୁ କିଛି ଖାଦ୍ୟ ସାମଗ୍ରୀ ଦେଇଯାଆନ୍ତି ଛୁଆଙ୍କୁ ଦେବାଲାଗି । ନିମ୍ନ ମାନର ଫିମ୍ପିମରା ଛତୁଆ, ପଚା ଅଣ୍ଡା ଆଉ ପୋକରା ଚାଉଳ କିଛି । ଯାହାକୁ ଖାଇ ଅସୁସ୍ଥ ହେଉଛନ୍ତି ଅନେକ ଶିଶୁ । ତେବେ ଦିଦିଙ୍କୁ ଏ ବାବଦରେ ଅଭିଯୋଗ କଲେ ଦେଖାଉଛନ୍ତି ନାଲି ଆଖି । ପୋଲିସ ଓ ନକ୍ସଲର ଭୟ ଦେଖାଇ ଗାଁ ଲୋକଙ୍କୁ ଧମକ ଚମକ ଦେଉଛନ୍ତି ଦିଦି ଏବଂ ତାଙ୍କ ସମ୍ପର୍କୀୟ । ଏନେଇ ଖୋଦ ଗ୍ରାମବାସୀ କ୍ୟାମେରା ଆଗରେ ବଖାଣିଛନ୍ତି ।

ବିଭାଗୀୟ ଅଧିକାରୀଙ୍କ ନିକଟରେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ସରକାର ଅଙ୍ଗନବାଡି କର୍ମୀଙ୍କୁ ସେଠାରୁ ବଦଳି ନକଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ ।

ପୂର୍ବରୁ ଚିର ଅବହେଳିତ ହୋଇରହିଥିବା ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳକୁ ମୁଖ୍ୟମନ୍ତ୍ରୀ ସ୍ୱାଭିମାନ ଅଞ୍ଚଳଭାବେ ଘୋଷଣାକରି ୧୦୦ କୋଟି ଟଙ୍କାର ପ୍ୟାକେଜ ପ୍ରଦାନ କଲେ । ତେବେ ଏଯାଏଁ ସେଠାରେ ଅବ୍ୟବସ୍ଥା ଲାଗି ରହିଛି । ଆଶା ସରକାର ଏଥିପ୍ରତି ଦୃଷ୍ଟିଦେବେ ।

ମାଲକାନଗିରିରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ

ABOUT THE AUTHOR

...view details