ମାଲକାନଗିରି:ହୋଟେଲରେ କାମ କରି ସାରିବା ପରେ ମାଲିକକୁ ପଇସା ମାଗିବାରୁ ୨ ନାବାଳିକାଙ୍କୁ ନିର୍ଦ୍ଧୁମ ମାଡ଼ । ଏନେଇ ସ୍ଥାନୀୟ ଲୋକେ ଥାନାରେ ଅଭିଯୋଗ କରିବାପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କରିଛି ନିର୍ଯାତିତା ନାବାଳିକାଙ୍କୁ । ମାଲକାନଗିରି ଜିଲ୍ଲା କାଲିମେଳା ସ୍ଥିତ ଏକ ଢ଼ାବା ହୋଟେଲରେ ନାବାଳିକାଙ୍କୁ ଅତ୍ୟାଚାର କରାଯାଉଥିବା ଅଭିଯୋଗ ହୋଇଥିଲା ।
ଉଦ୍ଧାର ହୋଇଥିବା ଏହି ଦୁଇ ନାବାଳିକା ଛତିଶଗଡ଼ ଜଗଦଲପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ଏମାନେ ଏଠାକୁ ପେଟ ପୋଷିବା ଉଦ୍ଦେଶ୍ୟରେ ଆସି ଏହି ଢ଼ାବାରେ ବିଭିନ୍ନ ପ୍ରକାର କାମ କରୁଥିଲେ । ତେବେ କାମ ସରିବା ପରେ ୨ ନାବାଳିକା କର୍ମଚାରୀ ଢ଼ାବା ମାଲିକଙ୍କୁ ଟଙ୍କା ମାଗିବାରୁ ହୋଟେଲ ମାଲିକ ସେମାନଙ୍କୁ ଚପଲରେ ବାଡ଼େଇଥିଲେ । ଏହାସହ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରୁଥିଲେ ବୋଲି ଅଭିଯୋଗ ହୋଇଛି ।