ମାଲକାନଗିରି: ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ କଥା ହେଲେ ସ୍ବାଭିମାନ ଅଞ୍ଚଳବାସୀ । ମଙ୍ଗଳବାର ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ଯନ୍ତାପାଇ ଠାରେ । ଏହି ଅବସରରେ ସ୍ବାଭିମାନ ଅଞ୍ଚଳର ସମସ୍ତ ପରିବାରକୁ ମାଗଣାରେ ମୋବାଇଲ ବଣ୍ଟନ କରାଯାଇଥିଲା ।
2011 ଜନଗଣନା ଅନୁଯାୟୀ ସ୍ବାଭିମାନ ଅଞ୍ଚଳର ୯ଟି ପଞ୍ଚାୟତର ୬ ହଜାର ୯୧୭ ପରିବାରକୁ ମୋବାଇଲ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏହାସହ ସ୍ବାଭିମାନ ଅଞ୍ଚଳ ପାଇଁ ଆଉ 100 କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସ୍ବାଭିମାନ ଅଞ୍ଚଳରେ ସ୍ବତନ୍ତ୍ର ଗ୍ରୀଡ ପ୍ରତିଷ୍ଠା, ପାନୀୟ ଜଳ ପାଇଁ 20 କୋଟିର ପ୍ୟାକେଜ, 250ଟି ନଳକୂପ, 25କୋଟି ବ୍ୟୟ ଅଟକଳରେ ଜଳସେଚନ ବ୍ୟବସ୍ଥା, 419 ଡିପ୍ ବୋରୱେଲ ଯାହାକି 17000 ହେକ୍ଟର ଚାଷ ଜମିକୁ ଜଳସେଚିତ କରିବ ।
ଏହାସହ ମାଓବାଦୀଙ୍କୁ ହିଂସା ଛାଡି ମୁଖ୍ୟସ୍ରୋତକୁ ଫେରିବାକୁ ଅନୁରୋଧ କରିଥିଲେ । ପଛୁଆ ସ୍ବାଭିମାନ ଅଞ୍ଚଳକୁ ଆଗୁଆ କରିବା ପାଇଁ ସ୍ବାଭିମାନ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ସ୍ବାଭିମାନ ଅଞ୍ଚଳ ମୋ ହୃଦୟରେ ଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ଜଣେ ଛାତ୍ରୀ, ଜଣେ ମହିଳା ଓ ପୁରୁଷଙ୍କ ସହ ସିଧାସଳଖ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।