ମାଲକାନଗିରି: ଛତିଶଗଡ଼ ଓ ଓଡିଶା ସୀମାନ୍ତ ଚାଲାଣଗୁଡା ଠାରେ ଲକଡାଉନ ଯୋଗୁଁ ଜନସାଧାରଣଙ୍କ ଉପରେ ଯିବାଆସିବା ରୋକ ଲଗାଯାଇଥିବା ବେଳେ ଏଠାରୁ କେବଳ ବ୍ୟବସାୟିକ ଯାନବାହନ ପରିବହନ ପାଇଁ ଅନୁମତି ରହିଛି । ସର୍ବସାଧାରଣଙ୍କ ଯାତାୟତ ବେଳେ ଆରଟିପିସିଆର ଟେଷ୍ଟ ରିପୋର୍ଟ କିମ୍ବା ନେଗେଟିଭି ରିପୋର୍ଟରେ ମାଲକାନଗିରି ଜିଲ୍ଲାକୁ ପ୍ରବେଶ ପାଇଁ ଅନୁମତି ମିଳିଥାଏ ।
ଗତ କାଲି(ମଙ୍ଗଳବାର) ରାତିରେ ଏକ ଅଭାବନୀୟ ଘଟଣାକ୍ରମେ ଜଗଦଲପୁର ସହରରୁ ମାଲକାନଗିରି ଆସୁଥିବା ଏକ ମିନିଟ୍ରକ ସିଜି୧୭ କେଟି୫୩୯୯ ନମ୍ବର ଗାଡିଟି ଦ୍ରୁତ ଗତିରେ ଆସିବା ବେଳେ ଟିଟିବେରୀ ଗାଁ ପ୍ରବେଶ ପଥରେ ତନଖି ବ୍ୟାରିକେଟକୁ ଧକ୍କା ଦେବା ସହ ମାଲକାନଗିରି ଅଭିମୁଖେ ଛୁଟିଥିଲା । ପରେ ଚଲାନଗୁଡା ବ୍ୟାରିକେଟରେ ଅଟକାଇବା ସମୟରେ ଗାଡି ଚାଳକଙ୍କ ଖାମଖିଆଲି ଯୋଗୁଁ ଦୁର୍ଘଟଣା ଘଟାଇ ବ୍ୟାରିକେଟକୁ ଭାଙ୍ଗି ଚୁରମାର କରିଦେଇଥିଲା ।