ଓଡିଶା

odisha

ETV Bharat / state

ଫୋକସରେ ସ୍ବାସ୍ଥ୍ୟସେବା, ଲାଲଗଡରେ ପହଞ୍ଚିଲା ବୋଟ ଆମ୍ବୁଲାନ୍ସ - ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ଆମ୍ବୁଲାନ୍ସ ସେବା

ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ପହଞ୍ଚିଛି ଦୁଇଟି ବୋଟ ଆମ୍ବୁଲାନ୍ସ । ୪୦ଟି ଗ୍ରାମର ୨୦ ହଜାର ଲୋକ ଏଥିରେ ହେବେ ଉପକୃତ । ଅଧିକ ପଢନ୍ତୁ...

ଲାଲଗଡରେ ପହଞ୍ଚିଲା ଦୁଇଟି ୧୦୮ ବୋଟ ଆମ୍ବୁଲାନ୍ସ
ଲାଲଗଡରେ ପହଞ୍ଚିଲା ଦୁଇଟି ୧୦୮ ବୋଟ ଆମ୍ବୁଲାନ୍ସ

By

Published : Dec 11, 2020, 9:50 PM IST

ମାଲକାନଗିରି:ଜିଲ୍ଲାର ଲାଲଗଡ କୁହାଯାଉଥିବା ସ୍ବାଭିମାନ ଅଞ୍ଚଳରେ ପହଞ୍ଚିଛି ଦୁଇଟି ବୋଟ ଆମ୍ବୁଲାନ୍ସ । ଦୀର୍ଘ ଦିନ ଧରି ସ୍ବାଭିମାନ ଅଞ୍ଚଳବାସୀ ସ୍ବାସ୍ଥ୍ୟଗତ ସେବା ପାଇଁ ଦାବି କରି ଆସୁଥିବା ବେଳେ ସରକାରଙ୍କ ଫୋକସରେ ରହିଥିବା ସ୍ବାଭିମାନ ଅଞ୍ଚଳ ପାଇଁ ଏହି ସେବା ଯୋଗାଇ ଦିଆଯାଇଛି । ଏହି ଦୁଇଟି ବୋଟକୁ ଆଜି(ଶୁକ୍ରବାର) ଶୁଭ ଉଦଘାଟନ କରାଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ୍ବାଇ. ବିଜୟ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଉଦଘାଟନ କରିଥିଲେ ।

ଲାଲଗଡରେ ପହଞ୍ଚିଲା ଦୁଇଟି ୧୦୮ ବୋଟ ଆମ୍ବୁଲାନ୍ସ

ଏହି ଆମ୍ବୁଲାନ୍ସ ସେବାକୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ପ୍ରଦାନ କରାଯାଇଛି । ରାଜ୍ୟର କେନ୍ଦ୍ରପଡା, କୋରାପୁଟ, କଳାହାଣ୍ଡି ଭଳି ଜିଲ୍ଲାରେ ଏହି 108 ଆମ୍ବୁଲାନ୍ସ ସେବା ଗୋଟିଏ ଲେଖାଏଁ ଯୋଗାଇ ଦିଆଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଦୁଇଟି 108 ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି ।

ଗୁରୁପ୍ରିୟା ସେତୁ ହେବା ପରେ ହାତ ଗଣତି କିଛି ଗ୍ରାମକୁ ହିଁ ଯୋଗାଯୋଗ ହୋଇପାରୁଥିବା ବେଳେ ଦୁର୍ଗମ ଅଞ୍ଚଳରେ ରହିଥିବା ପ୍ରାୟ 40 ରୁ ଉର୍ଦ୍ଧ୍ବ ଗ୍ରାମକୁ ଆଜି ବି ପ୍ରଶାସନ ପହଞ୍ଚି ପାରିନାହିଁ । ଏହି ସେବା ଫଳରେ ସେହି ଅଞ୍ଚଳକୁ ସ୍ବାସ୍ଥ୍ୟ ସେବା ପହଞ୍ଚି ପାରିବ । ଅରାପଦର ଠାରେ ଗୋଟିଏ ଆମ୍ବୁଲାନ୍ସ ଏବଂ କୁନ୍ତରପଦର ଠାରେ ଅନ୍ୟ ଗୋଟିଏ ଆମ୍ବୁଲାନ୍ସ ରଖାଯିବା ନେଇ ନିଷ୍ପତ୍ତି ହୋଇଛି । ଯାହାଫଳରେ ପ୍ରାୟ 40 ଟି ଗ୍ରାମର 20 ହଜାରରୁ ଉର୍ଦ୍ଧ୍ବ ଲୋକ ଉପକୃତ ହୋଇପାରିବେ । ଦୁଇଟି ଆମ୍ବୁଲାନ୍ସରେ ୩୭ ଟି ଭାସମାନ ଜେଟିର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ଜରୁରୀକାଳୀନ ସେବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଖଞ୍ଜାଯାଇଛି । ୨୪ ଘଣ୍ଟା ଅନବରତ ସେବା ଯୋଗାଇବା ପାଇଁ ଏହା ତତ୍ପର ରହିବ । ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମାଇଲ ମାଇଲ ବାଟ ଏହି ବୋଟ ଆମ୍ବୁଲାନ୍ସ ପହଞ୍ଚି ଲୋକଙ୍କୁ ସେବା ଯୋଗାଇ ପାରିବ ବୋଲି କୁହାଯାଇଛି ।

ବିଶେଷକରି ଗର୍ଭବତୀ ମହିଳା ଏବଂ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଏହି ସେବା ବହୁ ସହଯୋଗ କରିବ ।ତେବେ ଏହାକୁ ନିୟମିତ କରିବା ପାଇଁ ସ୍ବାଭିମାନ ଅଂଚଳବାସୀ ଦାବି କରିଛନ୍ତି। ପୂର୍ବରୁ ଯେତେଥର ବୋଟ ଆମ୍ବୁଲାନ୍ସ ସ୍ବାଭିମାନ ଅଂଚଳବାସୀଙ୍କ ପାଇଁ ଆସିଛି ତାହା କିଛି ଦିନ ଚାଲିବା ପରେ କୋମାରେ ଚାଲିଯାଇଛି। ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। କେତେବେଳେ ତ କର୍ମଚାରୀଙ୍କ ଅଭାବ ଆଉ କେତେବେଳେ ବୋଟ ଖରାପ ହେବା ନେଇ କୁହାଯାଇଛି । ତେଣୁ ପ୍ରଶାସନ ତରଫରୁ ନିୟମିତ ଯାଞ୍ଚ କରିବା ସହ ଡାକ୍ତର ଏବଂ ଫାର୍ମାସିଷ୍ଟ ଏଥିରେ ରହିବା ଦରକାର ବୋଲି ଦାବି ହୋଇଛି । ତେବେ ଉଦଘାଟନ ପରେ କେତେ ଦିନ ଏହି ଆମ୍ବୁଲାନ୍ସ ସେବା ଲୋକଙ୍କୁ ସେବା ଯୋଗାଇ ପାରୁଛି ଦେଖିବାକୁ ବାକି ରହିଲା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details