ମାଲକାନଗିରି: "ବାବୁ ବେଲୁନ ନିଅ… ମାତ୍ର ୨୦ ଟଙ୍କା । ବେଲୁନ ନ ନେଲେ ମୋ ପେଟ ପୁରିବନି, ପରିବାର ଚଳିବନି, ନିଅ ବାବୁ ନିଅ…।" ଏ ଡାକ ଶୁଣି ହୁଏତ କିଏ ଘର ପାଇଁ ଖୁସି କିଣି ନେଇପାରେ । ମାତ୍ର ୨୦ ଟଙ୍କା ଦେଇ ନିଜ ଝିଅ ପାଇଁ, ନିଜ ପୁଅ ପାଇଁ ସାମାନ୍ୟ ବେଲୁନଟିଏ ନେଇ ତାଙ୍କ ମୁହଁରେ ହସ ଫୁଟାଇପାରେ । ମାତ୍ର ଏହି 20 ଟଙ୍କିଆ ବେଲୁନ ଯେ କାହାର ପେଟପାଟଣା ବୁଝୁଛି । ମାଲକାନଗିରି ଜିଲ୍ଲା ଏମଭି 79ରେ ଏହିଭଳି ଭାବରେ ଅଭବରେ ଚଳୁଛନ୍ତି ଜଣେ କର୍କଟ ରୋଗୀ ଓ ତାଙ୍କ ପରିବାର । ପରିବାର ଚଳାଇବା ସଂଘର୍ଷ କରୁଛନ୍ତି କର୍କଟ ରୋଗୀ (Blood Cancer Patient selling Balloons in Malkangiri )। ସେପଟେ ତାଙ୍କୁ ଚିକିତ୍ସା ବାବଦକୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ମାଲକାନଗିରି ଜିଲ୍ଲା ଏମଭି 79ର ବାସିନ୍ଦା ବିଭାସ, ବୟସ 21 ବର୍ଷ । ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ଅଭାବ ନୁହେଁ ରକ୍ତ କର୍କଟ ରୂପକ ରୋଗ ମଧ୍ୟ ତାଙ୍କୁ ଗ୍ରାସ କରିଛି । ଅର୍ଥ ଅଭାବରୁ ଚିକିତ୍ସା କରିପାରୁନାହାନ୍ତି । ପାଖରେ ପଇସା ନଥିବାରୁ ପୁଅକୁ ପାଠ ପଢାଇ ନାହାନ୍ତି ବାପାମାଆ । ପେଟ ପାଇଁ ତ ପଇସା ନାହିଁ ପାଠ ପାଇଁ ଆସିବ କେଉଁଠୁ ? ତେଣୁ ବାଧ୍ୟ ହୋଇ ଖଡି, କଲମ ଧରା ହାତରେ ବିଭାସ ଧରିଛନ୍ତି ବେଲୁନ । ମୁଣ୍ଡ ଉପରେ ଭଳିକି ଭଳି ରଙ୍ଗ ବେରଙ୍ଗର ବେଲୁନ ଥାଇ ବି ଭୋକ ପାଇଁ ସେସବୁ ଫିକାଫିକା ଦିଶୁଛି । ତଥାପି ବେଲୁନ ପରି ରଙ୍ଗୀନ ଭବିଷ୍ୟତର ସ୍ୱପ୍ନ ଦେଖୁଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ଗ୍ରାମାଞ୍ଚଳର ସାଢ଼େ ୯ ଲକ୍ଷ ପରିବାରକୁ ମିଳିବ PM ଆବାସ, ଜିଲ୍ଲାପାଳଙ୍କ ସହ କଥା ହେଲେ CS