ଓଡିଶା

odisha

ETV Bharat / state

ଗୁଣିଗାରେଡି ଓ କୋରୋନା ସଚେତନ ନେଇ ଗଡିଲା ରଥ

ଗୁଣିଗାରେଡି ଭଳି ଅନ୍ଧବିଶ୍ବାସଠୁ ଦୂରେଇ ରହିବା ଏବଂ କୋରୋନା ସଚେତନତା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ଏକ ସଚେତନ ରଥ ଉଦଘାଟନ କରିଛନ୍ତି । ଶନିବାର ସ୍ଥାନୀୟ ଏସପି ଅଫିସ ଠାରେ ଏକ ସଚେତନତା ରଥକୁ ଉଦଘାଟନ କରାଯାଇଛି । ଅଧିକ ପଢନ୍ତୁ...

By

Published : Jul 25, 2020, 7:42 PM IST

Blackmagic and Corona alert by awareness chariot
ଗୁଣିଗାରେଡି ଓ କୋରୋନା ସଚେତନ କରିବ ସଚେତନ ରଥ

ମାଲକାନଗିରି: ଭୂତ, ପ୍ରେତ, ଗୁଣିଗାରେଡିକୁ ନେଇ ଜନସାଧାରଣଙ୍କ ମନରେ ଅହେତୁକ ଆବେଗ ରହୁଛି । ଯଦ୍ବାରା ରୋଗ ବ୍ୟାଧି ପାଇଁ ଲୋକେ ଡାକ୍ତରଖାନା ନଯାଇ ଗୁଣିଗାରେଡି ପ୍ରତି ଆଗ୍ରହ ଦେଖାଉଛନ୍ତି । କାହାର କୌଣସି ପାରିବାରିକ ଅସୁବିଧା ହେଲେ ପାଖପଡିଶା ଗୁଣି କରୁଛନ୍ତି ବୋଲି ଭ୍ରାନ୍ତଧାରଣାକୁ ନେଇ ଅନେକ ସମୟରେ ଗଣ୍ଡଗୋଳର ସୂତ୍ରପାତ ହେଉଛି । ଏପରିକି ବେଳେବେଳେ ହତ୍ୟାକାଣ୍ଡ ମଧ୍ୟ ଘଟୁଛି । ଏଭଳି ସ୍ଥିତିରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଲୋକଙ୍କୁ ସଚେତନ କରିବାକୁ ଏକ ଅଭିନବ ପ୍ରୟାସ କରିଛି ।

ଗୁଣିଗାରେଡି ଭଳି ଅନ୍ଧବିଶ୍ବାସଠୁ ଦୂରେଇ ରହିବା ଏବଂ କୋରୋନା ସଚେତନତା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ଏକ ସଚେତନ ରଥ ଉଦଘାଟନ କରିଛନ୍ତି । ଅନେକ ସମୟରେ ଜିଲ୍ଲାରେ ଗୁଣିଗାରେଡିର କୁପ୍ରଭାବ ଓ ଅନ୍ଧବିଶ୍ବାସ ଯୋଗୁଁ ନିରୀହ ଜୀବନ ବଳିପଡୁଛି । ଏହାକୁ ଦୃଷ୍ଟିରେ ରଖି ଶନିବାର ସ୍ଥାନୀୟ ଏସପି ଅଫିସ ଠାରେ ଏକ ସଚେତନତା ରଥକୁ ଉଦଘାଟନ କରାଯାଇଛି ।

ଗୁଣିଗାରେଡି ଓ କୋରୋନା ସଚେତନ କରିବ ସଚେତନ ରଥ

ଏହି ସଚେତନତା ରଥକୁ ମାଲକାନଗିରି ସ୍ବତନ୍ତ୍ର ଉନ୍ନୟନ ବିକାଶ ପରିଷଦର ଚେୟାରମ୍ୟାନ୍, ଜିଲ୍ଲାପାଳ, ଏସପିଙ୍କ ଉପସ୍ଥିତିରେ ଡିପିଓ ଠାରେ ଏକ ପତକା ଦେଖାଇ ଉଦଘାଟନ କରାଯାଇଥିଲା । ଏହି ରଥ ମାଧ୍ୟମରେ ଲୋକମାନେ କିଭଳି ଗୁଣିଗାରେଡିକୁ ବିଶ୍ବାସ ନକରିବେ, ସେ ଉପରେ ବାର୍ତ୍ତା ଦିଆଯାଇଥିବା ବେଳେ ବ୍ୟାନର ମାଧ୍ୟମରେ ମାଲକାନଗିରି ଜିଲ୍ଲାର ନାଗରିକମାନଙ୍କୁ ନିବେଦନ କରାଯିବ ବୋଲି ଏସପି ଓ ଜିଲ୍ଲାପାଳ କହିଛନ୍ତି । ଏହି ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ମାଲକାନଗିରି ଜିଲ୍ଲାର ସାଧାରଣ ଜନତାଙ୍କ ମଧ୍ୟରେ ଗୁଣିଗାରେଡିର ଶିକାର ଓ ଏହିଭଳି ଅଭ୍ୟାସରେ ଲିପ୍ତ ରହିବାର ପ୍ରତିକୂଳ ପରିସ୍ଥିତି ବିରୁଦ୍ଧରେ ସଚେତନତା ସୃଷ୍ଟି କରିବାକୁ ଏହା ଲକ୍ଷ୍ୟ ରହିଛି ।

ଏଥିରେ ଉଲ୍ଲେଖ ରହିଛି ଯେ, ସ୍ବାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ପାଇଁ ନକଲି ଡାକ୍ତର (କ୍ବାକ) ପାଖକୁ ଯିବା ପରିବର୍ତ୍ତେ ତୁରନ୍ତ ଚିକିତ୍ସା ପ୍ରତିକ୍ରିୟା ପାଇଁ 100/9438916971 ଡାଏଲ୍ କରନ୍ତୁ । ନଚେତ୍ 108 କିମ୍ବା ପୋଲିସ୍ କଣ୍ଟ୍ରୋଲ୍ ରୁମକୁ କଲ କରି ସ୍ବାସ୍ଥ୍ୟ ସୁବିଧା ସହ ଯୋଗାଯୋଗ କରି ଜନସାଧାରଣଙ୍କୁ ମନାଇବା ପାଇଁ ଲକ୍ଷ୍ୟ ରହିଛି ।

ସେହିପରି କୋଭିଡ-19 ମହାମାରୀକୁ ସଫଳତାର ସହ ମୁକାବିଲା କରିବା ପାଇଁ ସାମାଜିକ ଦୂରତା ନିର୍ଦ୍ଦେଶାବଳୀ ଅନୁସରଣ କରିବା ଏବଂ ମାସ୍କ ପିନ୍ଧିବାର ମହତ୍ତ୍ବ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ମଧ୍ୟ ଲକ୍ଷ୍ୟ ରହିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details