ମାଲକାନଗିରି: ଆସନ୍ତାକାଲି ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହାର ଦିନକ ପୂର୍ବରୁ ମାଲକାନଗିରି ଜିଲ୍ଲା ବିଜେପିର ସଭାପତି ତଥା ବିଧାୟକ ଆଦିତ୍ୟ ମାଢିଙ୍କ ନେତୃତ୍ବରେ ଆଜି ସାମ୍ବାଦିକ ସମ୍ମିଳନୀ କରାଯାଇ ଜିଲ୍ଲାର ଉନ୍ନତି ପାଇଁ ୪ ଦଫା ଦାବି କରାଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପ୍ରଭାରୀ କାଳିରାମ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି ଉପସ୍ଥିତ ଥିଲେ। ମାଲକାନଗିରି ଜିଲ୍ଲାରେ ଏକ ସୁପର ସ୍ପେସାଲିଷ୍ଟ ହସପିଟାଲ ନିର୍ମାଣ କରାଯିବା ସହ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବିଶେଷଜ୍ଞ ନିଯୁକ୍ତି ଦିଆଯାଉ। ମାଲକାନଗିରି ମେଡିକାଲରେ ଡାକ୍ତରଙ୍କର ଘୋର ଅଭାବ ରହିଛି। ଏହାକୁ ତୁରନ୍ତ ପୂରଣ କରାଯାଉ। ମାଲକାନଗିରି ଏକ ଅନୁସୂଚିତ ଜନଜାତି ବହୁଳ ଜିଲ୍ଲା ଅଟେ। ଏଣୁ, ସମସ୍ତଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉ। ଆଉ ଯେଉଁମାନେ ଜମି ପଟ୍ଟା ପାଇଛନ୍ତି, ସେମାନଙ୍କର ଜାଗା ଚିହ୍ନଟ କରାଯାଇ ସେମାନଙ୍କୁ ପ୍ରଦାନ କରାଯାଉ।
ସେହିପରି ଏହା ଏକ କୃଷିଭିତ୍ତିକ ଜିଲ୍ଲା ହୋଇଥିବାରୁ ଚାଷୀଙ୍କୁ ଠିକ ସମୟରେ ସାର ପ୍ରଦାନ କରାଯାଉ। ଉତ୍ପାଦିତ ସମସ୍ତ କୃଷିଜାତ ଦ୍ରବ୍ୟକୁ ସରକାର କିଣିବା ପାଇଁ ନିଷ୍ପତ୍ତି କରାଯାଉ। ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟ ମଣ୍ଡି ମାଧ୍ୟମରେ ବିକ୍ରି କରିଥିଲେ ମଧ୍ୟ ଏବେ ସୁଦ୍ଧା ଟଙ୍କା ପାଇପାରି ନାହାନ୍ତି। ସେହିପରି ମାଲକାନଗିରି ପୌର ପରିଷଦର ଉନ୍ନତିକରଣ କରାଯାଉ। ବର୍ଷା ଜଳ ନିଷ୍କାସନ ଏବଂ ଡ୍ରେନେଜ ବ୍ୟବସ୍ଥା ସୁଦୃଢ କରାଯାଉ ବୋଲି ବିଜେପି ଦାବି କରିଥିଲା। ଏହି ଦାବି ଗୁଡିକ ଉପରେ ମୁଖ୍ୟମନ୍ତ୍ରୀ କ’ଣ ଉତ୍ତର ଦେବେ ଜନତାଙ୍କୁ ଜଣାନ୍ତୁ ବୋଲି ଦାବି କରିଛି ବିଜେପି । ଏଥିସହ ଜନତାଙ୍କୁ ଲଲିପପ୍ ଦେଇ ଭକୁଆ ବନାଇବା ବନ୍ଦ କରନ୍ତୁ ବୋଲି ବିଜେପି କହିଛି। ଅନ୍ୟପଟେ ଏହି ଗସ୍ତକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଜନହିତକର କାର୍ଯ୍ୟକୁ ହାତକୁ ନେଉଥିବା କହିଛନ୍ତି । ତେଣୁ, ଲୋକମାନଙ୍କ ସାର୍ଟିଫିକେଟ ହିଁ ସର୍ବଶ୍ରେଷ୍ଠ ବୋଲି ସେ କହିଛନ୍ତି ।
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସୁଥିବାରୁ ମାଲକାନଗିରି ବିଜେପି ସଭାପତି ଆଦିତ୍ୟ ମାଢିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ତାଙ୍କୁ ଭେଟିବା ସହ ମାଲାକନଗିରିରେ ରେଳପଥ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବେ ଏବଂ କିପରି ରେଳପଥ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ସେନେଇ ମଧ୍ୟ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିବେ ବୋଲି କୁହାଯାଇଛି। ସେହିପିର ପୋଲାଭରମ ପ୍ରକଳ୍ପରେ ମାଲାକନଗିରି ଜିଲ୍ଲାର କେତେ ଗାଁ, କେତେ ଜମି, କେତେ ଜଙ୍ଗଲ ପାଣିରେ ବୁଢୁଛି ସେନେଇ ରାଜ୍ୟ ସରକାର ଏବେ ପର୍ଯ୍ୟନ୍ତ କୌଣସି ସଠିକ ତଥ୍ୟ ପ୍ରଦାନ କରିନଥିବା ଦେଖିବାକୁ ମିଳିଛି। ସେହିପରି ମାଲକାନଗିରି ଜିଲ୍ଲାରେ ଦୁର୍ନୀତି ଦିନକୁ ଦିନ ବଢୁଥିବାରୁ ଏହାର ତଦନ୍ତ କରାନଯାଇ ଯୋଜନା ଉପରେ ଯୋଜନା କରାଯାଉଥିବା ନେଇ ବିଜେପି ଅଭିଯୋଗ କରିଥିଲା। ଗତ କିଛି ଦିନ ତଳେ ଆଇଟିଡିଏରେ ହୋଇଥିବା ଦୁର୍ନୀତିର ଆଜି ପର୍ଯ୍ୟନ୍ତ ତଦନ୍ତ ହୋଇପାରିଲା ନାହିଁ। ଏହି ଘଟଣାରେ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିଲା ନାହିଁ ବୋଲି ବିଜେପି ଅଭିଯୋଗ କରିଛି।