ମାଲକାନଗିରି: ନାଁ ତାଙ୍କର ଚମ୍ପା । ଫୁଲ ଭଳି ପ୍ରସ୍ଫୁଟିତ ହେବା ଆଗରୁ ଝିଅଟି ଚାହୁଁଛି ଇଚ୍ଛାମୃତ୍ୟୁ । ଦୀର୍ଘ 13 ବର୍ଷର ଅସହ୍ୟ ଯନ୍ତ୍ରଣାକୁ ଆଉ ସହିପାରୁନାହାନ୍ତି ସେ । କଷ୍ଟ ଜର୍ଜରିତ ଜୀବନରେ ପକାଇବାକୁ ଚାହୁଛନ୍ତି ପୂର୍ଣ୍ଣଚ୍ଛେଦ । ପରିବାର ଲୋକ ବି ଝିଅକୁ ଯମ ଯନ୍ତ୍ରଣାରେ ଝୁଝୁଥିବା ଦେଖି ଅସହାୟ ହୋଇ ପଡିଛନ୍ତି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି ମାଲକାନଗିରିର ଆଦିବାସୀ ଝିଅ ଚମ୍ପା କାଲକୁରା ।
କାନ୍ଦିବାକୁ ଆଖିରେ ଲୁହ ନାହିଁ । ଦୁଃଖ ବଖାଣିବାକୁ ପାଟିରେ ଭାଷା ନାହିଁ । ଅସହ୍ୟ ଯନ୍ତ୍ରଣାରେ ଛଟପଟ ଜୀବନ । ନା ଆଶା ଅଛି ନା ଭରସା । ବଞ୍ଚିବାର ସବୁ ଆଶା ଯେମିତି ମଉଳି ଯାଇଛି । ସେଥିପାଇଁ ତ କାଗଜ ଖଣ୍ଡିଏରେ ଲେଖିଦେଇଛି ସବୁ ବେଦନା । ଆଉ ମାଗୁଛି ଇଚ୍ଛାମୃତ୍ୟୁ । ଆମେ କୁହୁଛୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସର୍ଗୀଗୁଡାରେ ରହୁଥିବା 24 ବର୍ଷୀୟ ଚମ୍ପା କାଲକୁରାଙ୍କ କଥା ।
ଯେଉଁ ବୟସରେ ସାଙ୍ଗମେଳିରେ ଖୁସି ବାଣ୍ଟିବା କଥା, ସେଇ ବୟସରେ ସେ ହୋଇପଡିଛନ୍ତି ଶଯ୍ୟାଶାୟୀ । ସେ ଆଉ ସହିପାରୁନାହାନ୍ତି ଯନ୍ତ୍ରଣା । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଇଚ୍ଛାମୃତ୍ୟୁ ମାଗିଛନ୍ତି ।