ମାଲକାନଗିରି:ମାଲକାନଗିରିରେ ଶୀତ ପ୍ରକୋପ ଜାରି ରହିଥିବା ବେଳେ ଆନ୍ତଃପ୍ରବାସୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି । ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ବନ ବିଭାଗ ପକ୍ଷରୁ ଜିଲ୍ଲାରେ ଜଳଚର ପକ୍ଷୀ ଗଣନା କରାଯାଇଥାଏ । ଚଳିତ ବର୍ଷ ମାଲକାନଗିରି ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟ ସମାପ୍ତ ହୋଇଯାଇଛି । ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପଲୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଥିବା ୬ଟି ବନାଞ୍ଚଳର ୧୦ଟି ସ୍ଥାନରେ ୧୦ଟି ଟିମଙ୍କୁ ନେଇ ପକ୍ଷୀ ଗଣନା କରାଯାଇଛି ।
ମାଲକାନଗିରି ବନଖଣ୍ଡରେ ଏଥର ୧୧, ୫୫୪ଟି ପକ୍ଷୀଙ୍କ ଆଗମନ ହୋଇଥିବା ଗଣନାରୁ ଜଣାପଡ଼ିଛି । ଏଥିରେ ୫୫ଟି ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥିଲା । ବିଶେଷକରି ମାଲକାନଗିରି ସତିଗୁଡ଼ା ଜଳଭଣ୍ଡାରରେ ୩୪୯୮ଟି ପକ୍ଷୀ ଅଛନ୍ତି । ସେଥିମଧ୍ୟରୁ ପ୍ରାୟତଃ ୧୦ଟି ପ୍ରଜାତିର ପକ୍ଷୀ ବିଦେଶାଗତ ବୋଲି ଜଣାପଡିଛି । ସେହିପରି ଚିତ୍ରକୋଣ୍ଡା ଜଳଭଣ୍ଡାରରେ ୬୬୫ଟି, ମାଥୁଲି ଶିବସାଗରରେ ୫,୫୫୧ଟି, ସାବେରୀ, ସିଲେରୁ ସଙ୍ଗମସ୍ଥଳ ମୁଗିପଏଟିଂରେ ୧୫୨ଟି, କାଲିମେଳା ମତ୍ସ୍ୟ ବିଭାଗ ବନ୍ଧରେ ୧୩୨୧ଟି, ବାଲିମେଳା ସୋଲୁରକୋଣ୍ଡା ବ୍ୟାରେଜରେ ୩୬୭ଟି ବିଭିନ୍ନ ପ୍ରକାର ପକ୍ଷୀ ଉଡ଼ି ଆସିଛନ୍ତି ।
ଏହି ପକ୍ଷୀ ଗଣନାରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ, ମାଥୁଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ, ମୋଟୁ, କାଲିମେଳା, ବାଲିମେଳା, ଚିତ୍ରକୋଣ୍ଡା ରେଞ୍ଜରଙ୍କ ନେତୃତ୍ବରେ ପ୍ରମୁଖ ବନ ବିଭାଗ କର୍ମଚାରୀମାନେ ପକ୍ଷୀ ଗଣନା କରିଥିଲେ ।