ମାଲକାନଗିରି : କୋରୋନା ମହାମାରୀ ଯୋଗୁଁ ସାରା ଦେଶ, ରାଜ୍ୟ ଓ ଜିଲ୍ଲା ପ୍ରଭାବିତ ହେବା ସହ ବହୁ ଦିନ ଧରି ଲକଡାଉନ୍ ହୋଇଥିଲା । ଯାହାର ପ୍ରଭାବ ଜୀବନ ଜୀବିକା ଉପରେ ପଡିଥିଲା । ହେଲେ ମାଲକାନଗିରି ଜିଲ୍ଲା ଭଳି ପଛୁଆ ଅଞ୍ଚଳର ଜଣେ ଯୁବ ମେକାନିକ୍ ଏହି ଲକଡାଉନ୍ ସମୟର ଉଚିତ ବିନିଯୋଗ କରିଥିଲେ । ନିଜ ଉଦ୍ୟମରେ ଭିନ୍ନ ଏକ ବ୍ୟାଟେରୀ ଚାଳିତ ବାଇକ୍ ତିଆରି କରି ପ୍ରଶଂସାର ପାତ୍ର ହୋଇଛନ୍ତି ।
ଆଗକୁ ଏବଂ ପଛକୁ ଯାଇପାରୁଥିବା ବ୍ୟାଟେରି ଚାଳିତ ବାଇକ୍ ଏବଂ ସାଇକେଲ ନିର୍ମାଣ କରିବାରେ ସେ ସଫଳ ହୋଇଛନ୍ତି । ଏମଭି-7 ଗ୍ରାମର ଦିଲ୍ଲୀପ ପୋଦ୍ଦାର ନାମକ ଯୁବ ମେକାନିକ୍ ନିଜ ଉଦ୍ୟମରେ ଏକ ବ୍ୟାଟେରି ଚାଳିତ ବାଇକ୍ ଏବଂ ସାଇକେଲ ନିର୍ମାଣ କରିଛନ୍ତି ।
ଏପରିକି ସେ ପଛକୁ ଯାଉଥିବା ବାଇକ୍ ପ୍ରଥମ ଥର ନିର୍ମାଣ କରିବାରେ ସଫଳ ମଧ୍ୟ ହୋଇଛନ୍ତି । କୌଣସି ପାର୍କି ସ୍ଥାନରେ ବାଇକକୁ ପଛକୁ ଠେଲି ରଖିବାକୁ କଷ୍ଟ ଲାଗୁଥିବାବେଳେ ଏହି ବାଇକ୍ ସହଜରେ ଆଗକୁ ଏବଂ ପଛକୁ ଯାଇପାରିବ ବୋଲି ସେ କହିଛନ୍ତି ।
ଲକଡାଉନ୍ ସମୟରେ କାମ ସବୁ ବନ୍ଦ ଥିବାବେଳେ ସେ ପାଖରେ ପଡିଥିବା ଏକ ଅକାମୀ ମୋଟର ସାଇକଲକୁ କାଢି ତାର ଇଞ୍ଜିନକୁ ଫିଙ୍ଗି ଦେଇଥିଲେ । ପରେ ସେଠାରେ ସେ ଚାର୍ଜବଲ ବ୍ୟାଟେରୀ ଲଗାଇବା ସହ ଅନ୍ୟ ସରଞ୍ଜାମ ମଧ୍ୟ ବିଭିନ୍ନ ସ୍ଥାନରୁ ଯୋଗାଡ କରି ଲଗାଇଥିଲେ । ଦୀର୍ଘ ଦୁଇ ତିନି ମାସର ଉଦ୍ୟମ ପରେ ସେ ଏକ ସୁସଜ୍ଜିତ ମୋଟର ବାଇକ୍ ତିଆରି କରିଥିଲେ ।