ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଚା' ପକୁଡି ବିକିଲେ ଅମଲା ସଂଘ - amala sangh sell tea outside collectors office

ମାଲକାନଗିରି ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ସଦସ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଚା', ପକୁଡି ଓ କାକରା ବିକ୍ରି କରିଛନ୍ତି । ଗ୍ରାହକମାନେ ମଧ୍ୟ ବହୁ ସଂଖ୍ୟାରେ ଆସି ସେମାନଙ୍କଠାରୁ କିଣି ନେଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଅମଲା ସଂଘର ଚା' ପକୁଡି ଷ୍ଟଲ
ଅମଲା ସଂଘର ଚା' ପକୁଡି ଷ୍ଟଲ

By

Published : Jun 16, 2023, 4:49 PM IST

ଅମଲା ସଂଘର ଚା' ପକୁଡି ଷ୍ଟଲ

ମାଲକାନଗିରି:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଚା', ପକୁଡି ଓ କାକରା ବିକିଛନ୍ତି ମିଳିତ ଅମଲା ସଙ୍ଘର ସଦସ୍ଯ। ମାଲକାନଗିରି ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଡାକରାରେ ୧ ତାରିଖରୁ ସମସ୍ତ ଅମଲାମାନେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଛନ୍ତି। ସମୂହ ଛୁଟି ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନ ୧୬ ଦିନରେ ପହଞ୍ଚିଛି । ଏହାରି ଭିତରେ ଅମଲାମାନେ ବିଭିନ୍ନ ଲୋକାଭିମୁଖି କାର୍ଯ୍ୟକ୍ରମ ମଧ୍ୟ କରିଛନ୍ତି । ରକ୍ତଦାନ ଶିବିର, ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ଓ ବସଷ୍ଟାଣ୍ଡ ପରିସରକୁ ସଫେଇ ସହ ଚିଫ୍ ମିନିଷ୍ଟର ରିଲିଫ୍ ଫଣ୍ଡକୁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏହିଭଳି ବିଭିନ୍ନ ଲୋକାଭିମୁଖି କାର୍ଯ୍ୟକ୍ରମ କରି ମାଲକାନଗିରି ଜିଲ୍ଲାର ମିଳିତ ଅମଲା ସଂଘ ଚର୍ଚ୍ଚାରେ ଥିବାବେଳେ ଆଜି ସକାଳୁ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ। ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଚା',ପକୁଡି ଓ କାକରା ବିକୁଥିବା ନଜରକୁ ଆସିଛି ।

ଚା' ପ୍ରତି କପ୍ ପିଛା 2 ଟଙ୍କା, ଗୋଟିଏ କାକରାକୁ 3ଟଙ୍କା ଏବଂ ୫୦ଗ୍ରାମ ପକୁଡିକୁ 5 ଟଙ୍କାରେ ବିକୁଛନ୍ତି ଅମଲା ସଙ୍ଘର ସଦସ୍ଯମାନେ । ସଙ୍ଘର ଚା' ଜଳଖିଆ ଷ୍ଟଲକୁ ବହୁ ସଂଖ୍ୟାରେ ବାହାର ଲୋକମାନେ ଆସି କିଣି ନେଉଥିବା ନଜରକୁ ଆସିଛି । ଏପରି ଭାବେ ଅମଳାଙ୍କ ଦ୍ବାରା ଜାରି ରହିଥିବା ଆନ୍ଦୋଳନକୁ ବିଭିନ୍ନ ମହଲରୁ ଧିରେ ଧିରେ ସମର୍ଥନ ମିଳିବା ଆରମ୍ଭ ହୋଇଥିବାବେଳେ ଜିଲ୍ଲା ଓକିଲ ସଂଘ ଅମଲାଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଜିଲ୍ଲା ଓକିଲ ସଂଘର ସଭାପତି ଲମ୍ବୋଧର ତୁରୁକୁ, ସମ୍ପାଦକ ନୃସିଂହ ଚରଣ ମହାନ୍ତି, ରାମ ପ୍ରସାଦ ପଟ୍ଟନାୟକ, ଗୋପାଳ ପଣ୍ଡା, ଦିଲୀପ ପରିଛା ପ୍ରମୁଖ ଓକିଲ ସଂଘର ସଦସ୍ୟମାନେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିବା ଅମଲାମାନଙ୍କ ନିକଟକୁ ଯାଇ ସେମାନଙ୍କ ଦାବି ପ୍ରତି ସରକାର ଗୁରୁତ୍ବ ଦିଅନ୍ତୁ ବୋଲି କହି ସମର୍ଥନ ଜଣାଇଛନ୍ତି।

ସେହିପରି ଉତ୍କଳ ସାମ୍ବାଦିକ ସଂଘ ମଧ୍ଯ ଅମଲାଙ୍କ ଏହି ଅନଶନକୁ ସମର୍ଥନ ଜଣାଇଛି । ଉତ୍କଳ ସାମ୍ବାଦିକ ସଂଘର ସଭାପତି ଦୁର୍ଯ୍ଯୋଧନ ପାତ୍ର, ସମ୍ପାଦକ ଶ୍ରୀନିବାସ ପାତ୍ରଙ୍କ ସହ ସଂଘର ବହୁ ସାମ୍ବାଦିକ ଧାରଣା ସ୍ଥଳକୁ ଆସି ଅମଲାଙ୍କ ସହ ବସିଥିବା ଦେଖିବାକୁ ମିଳିଥିଲା। ସେହିପରି ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି। ଏଥିସହ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ମଧ୍ଯ ଅମଲାଙ୍କ ଏହି ଆନ୍ଦୋଳନକୁ ଆଜିଠାରୁ ସମର୍ଥନ ଜଣାଇଛି । ଜିଲ୍ଲା ଶିକ୍ଷକ ସଂଘ ସଭାପତି ତାରକ ମଣ୍ଡଳ , ରାଜ୍ଯ ଉପସଭାପତି ରଞ୍ଜିତ ନାୟକ , ବ୍ଲକ ସଭାପତି ରାମ ପ୍ରସାଦ ପାଢୀ ପ୍ରମୁଖ ଅନଶନ ସ୍ଥାନରେ ଉପସ୍ଥିତ ରହି ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।

ରେଳ ଦୁର୍ଘଟଣାରେ ଆହତଙ୍କ ପାଇଁ ଗତ ୬ତାରିଖରେ ଅମଲାମାନେ ରକ୍ତଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ୪୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଦୁର୍ଘଟଣାରେ ମୃତାହତଙ୍କ ପରିବାରଙ୍କୁ ସାହାଯ୍ଯ କରିବା ପାଇଁ ଚିଫ୍ ମିନିଷ୍ଟର ରିଲିଫ୍ ଫଣ୍ଡକୁ ୬୮ ହଜାର ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ମିଳିତ ଅମଲା ସଂଘର ଆବାହକ ଶ୍ୟାମ ସୁନ୍ଦର ନାୟକ। ସେହିପରି ଅମଲାମାନଙ୍କ ହାତରେ କଲମ ବଦଳରେ ଝାଡୁ ଦେଖିବାକୁ ମିଳିଥିଲା । ମିଳିତ ଅମଲା ସଂଘର ବହୁ ସଦସ୍ଯ ସ୍ବେଚ୍ଛାକୃତ ଭାବେ ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପରିସରରେ ଝାଡୁ ଧରି ସଫେଇ କାର୍ଯ୍ୟ କରି ପରିସ୍କାର କରିଥିଲେ । ଏହାର କିଛିଦିନ ପରେ ମାଲକାନଗିରି ବସଷ୍ଟାଣ୍ଡ ପରିସରକୁ ମଧ୍ଯ ପରିସ୍କାର କରିଥିଲେ । ଯାହାଦ୍ବାରା ଅମଲା ସଂଘର ସଦସ୍ଯମାନଙ୍କୁ ବିଭିନ୍ନ ମହଲରୁ ସାଧୁବାଦ ମିଳିଛି।

ଅପରପକ୍ଷେ, ୧୬ଦିନ ଧରି ନିଜର ହକ ପାଇଁ ଅମଲାମାନେ ଲକ୍ଷେଇ କରୁଛନ୍ତି। ଅମଲାଙ୍କ ସମୂହ ଛୁଟିନେବା ଓ ଗଣଧାରଣା ଦେବା ଫଳରେ ସମସ୍ତ ଅଫିସ ଗୁଡିକରେ ଚେୟାର ଖାଲି ପଡ଼ିଛି। ଅଫିସ କାର୍ଯ୍ୟ ଏକ ପ୍ରକାର ଠପ୍ ଥିବାବେଳେ ଦୂର ଦୁରାନ୍ତରୁ ବିଭିନ୍ନ କାମରେ ଆସୁଥିବା ଲୋକମାନେ ନିରାଶ ହୋଇ ଫେରିଯାଉଥିବା କହିଛି ଜିଲ୍ଲା କଂଗ୍ରେସ। ତେବେ ଅମଲାଙ୍କ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଏହି ଗଣଧାରଣା ଓ ସମୂହ ଛୁଟି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ମିଳିତ ଅମଲା ମଞ୍ଚର ସଭାପତି ଲକ୍ଷ୍ମୀନାରାୟଣ ସେଠି ଓ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଆବାହକ ଶ୍ୟାମ ସୁନ୍ଦର ନାୟକ ପ୍ରକାଶ କରିଛନ୍ତି।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details