ମାଲକାନିଗିରି:ଗ୍ରାମକୁ ଗ୍ରାମ ସଡ଼କ ଯୋଜନା ଖୋଲିବ ସ୍ବାଭିମାନ ଅଞ୍ଚଳର ବିକାଶର ରାସ୍ତା । ଏହାକୁ ଦୃଷ୍ଟିରେ ରଖି ସରକାର ଖର୍ଚ୍ଚ କରି ଚାଲିଛନ୍ତି କୋଟିକୋଟି ଟଙ୍କା । କିନ୍ତୁ ଆଜିକୁ ଦେଢ ବର୍ଷ ହୋଇଗଲା, ହେଲେ ସରୁନି ରାସ୍ତାକାମ । ନିମ୍ନମାନର କାମ କରି ଏଠି ବିକାଶ ପରିବର୍ତ୍ତେ ମାଲାମାଲ୍ ହଉଛନ୍ତି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ । ଯାହାର ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପାପରମେଟେଲା ଠାରୁ ଟେଙ୍ଗୁଗୁଡା ପର୍ଯ୍ୟନ୍ତ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କାମରେ ।
ପାପରମେଟେଲା ଠାରୁ ଟେଙ୍ଗୁଗୁଡା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ତିଆରି ଚାଲିଛି । ୨୮୬.୨୬ ଲକ୍ଷ ଟଙ୍କା ଅଟକଳରେ ୧୬.୬.୨୦୨୦ରେ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୧୫.୪.୨୦୨୧ରେ ଶେଷ ହେବାକୁ ସମୟ ଧାର୍ଯ୍ୟ ହୋଇଥିଲା । ବିଡ଼ମ୍ବନାର ବିଷୟ ଅବଧି ସମୟ ସରିବାକୁ ଦେଢ ବର୍ଷ ପୂରିଲାଣି ହେଲେ ଅଦ୍ୟାବଧି କାମ ସମ୍ପୂର୍ଣ୍ଣ ହୋଇନାହିଁ । ମରାମତି ଅବସ୍ଥାରେ ଶୋଚନୀୟ ହୋଇ ପଡ଼ିଲାଣି ରାସ୍ତାର ସ୍ଥିତି । କେଉଁଠି ପିଚୁରୁ ଗୋଡ଼ି ଅଲଗା ହୋଇଯାଉଛି ତ ପୁଣି କେଉଁଠି ହାତରେ ମୁଠା ମୁଠା ପିଚୁ ଉଠିଯାଉଛି । ପୁରୁଣା ରାସ୍ତା ଉପରେ ଚିପ୍ସ ଓ ପତଳା ପିଚୁ ପକାଇ ନିମ୍ନମାନର ରାସ୍ତା ନିର୍ମାଣ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।